ଆତ୍ମହତ୍ୟା କରିବାକୁ ପିଇ ଥିଲେ ଫିନାଇଲ ; ସାନ ପୁଅ ପରେ ଆଖି ବୁଜିଲେ ମା’ ଭଉଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ବୁର୍ଲା ମେଡିକାଲରେ ଆଖି ବୁଜିଲେ ମୃତକ ଦୀପକ ବିଶ୍ୱାଳଙ୍କ ମା ଓ ଭଉଣୀ । ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ୨ ଦିନ ପୂର୍ବେ ଏପରି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ପରେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଏପରି ଚରମ ପଦକ୍ଷେପ ଉଠାଇଥିଲେ। ଏହାପରେ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ପରେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଗତ ମଙ୍ଗଳବାର ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗତ ରାତିରେ ଭଉଣୀ ପିଙ୍କି ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ୫୮ ବର୍ଷୀୟା ମା’ ପୁଷ୍ପାବତୀ ବିଶ୍ୱାଳ ଆଖି ବୁଜିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଘରର ବଡ଼ ପୁଅ ୨ ବର୍ଷ ପୂର୍ବେ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବେଳେ ୨ ଦିନ ପୂର୍ବେ ତାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗିପଡ଼ି ସମସ୍ତ ପରିବାର ସଦସ୍ୟ ଏପରି ଚରମ ପଦକ୍ଷେପ ନେଇଥିଲେ। ଘରେ ବଡ଼ ପୁଅର ମୃତଦେହ ପଡ଼ିଥିବା ବେଳେ ମା’ ୩ ଭଉଣୀ ଓ ଜଣେ ଭାଇ ଫିନାଇଲ ପିଇ ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ଝାରସୁଗୁଡ଼ା ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିପାକାଇଛି ।

Leave a Reply

Your email address will not be published.