ଆସାମରେ ଭୂସ୍ଖଳନ, ପାଖାପାଖି ୨୦ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ଦିସପୁର,(ଓଡିଶା ଟାଇମ୍) :  ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି । ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି । କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି । ଏହାସହ ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏବେବି ଅନେକ ଲୋକ ମାଟି ତଳ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ଭୂ-ସ୍ଖଳନ ହୋଇଥିବା ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।

ଅପରପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଵାଲ ଭୂସ୍ଖଳନ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ଟିମଙ୍କୁ ଦ୍ରୁତ ଗତିରେ ଉଦ୍ଧାର କାର୍ୟ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି । ଆସାମର କିଛି ଅଞ୍ଚଳରେ ଗତ କିଛି ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି। ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହୋଇଛି । ଏହିଭଳି ପରିସ୍ଥିତିରେ ଅନେକ ରାସ୍ତା ମଧ୍ୟ ବନ୍ଦ ରହିଛି। ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେଥିପାଇଁ ଉଦ୍ଧାର କାର୍ୟ୍ୟ ବ୍ୟାହତ ହେଉଛି ।

Leave a Reply

Your email address will not be published. Required fields are marked *