ଆଜି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ, ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବିବାହ ପ୍ରସ୍ତୁତି

ଭୁବନେଶ୍ବର, (ଓଡିଶା ଟାଇମ୍) :  ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁ ଶ୍ରୀଜଗନ୍ନାଥ ମାଆ ରୁକ୍ମଣୀଙ୍କୁ ବିବାହ କରିବେ । ଏହି ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବାଜୁଛି ତେଲିଙ୍ଗି ବାଜା । ଜଗତ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ହୋଇଥିବାରୁ ଭୋର ୨ଟା ୩୭ମିନିଟରେ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ଦ୍ୱାରଫିଟା ନିତି ଅନୁଷ୍ଠିତ ହେବା ପରଠାରୁ ନିତିକ୍ରାନ୍ତି ଆଗେଇ ଚାଲିଛି । ମହାପ୍ରଭୁଙ୍କ ନିକଟରେ ଆଜି ସର୍ବାଧିକ ୪୪ଟି ନିତି ରହିଛି । ନିତି ନିର୍ଘଣ୍ଟ ଅନୁସାରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନିତି ବଢି ଗୋପାଳବଲ୍ଲଭ, ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥାନ୍ତି ସେପଟେ ଶ୍ରୀ ମଦନମୋହନ ଜୟବିଜୟ ଦ୍ୱାରକୁ ବିଜେ କରନ୍ତି । ବଚନିକା ଓ ଅନ୍ୟାନ୍ୟ ନିତି ବଢି ଶ୍ରୀମଦନମୋହନ ରଥକୁ ବିଜେ କରିଥାନ୍ତି । ବିମଳାଙ୍କ ମନ୍ଦିରକୁ ମହାଲକ୍ଷ୍ମୀ ଅର୍ଥାତ ଶ୍ରୀଦେବୀ ବିଜେ କରନ୍ତି । ସେହିଠାରେ ରୁକ୍ମଣୀ ହରଣ ନିତି ସମ୍ପାଦନ ହୋଇଥାଏ । ସେଠାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ବିବାହ ମଣ୍ଡପକୁ ବିଜେ କରନ୍ତି। ମହାପ୍ରଭୁ ଜଳକ୍ରୀଡାକୁ ବିଜେ କରନ୍ତି । ଜଳକ୍ରୀଡା ପରେ ମଧ୍ୟାନ୍ନଧୁପ ହୁଏ । ରାତିରେ ସଂନ୍ଧ୍ୟା ଧୁପ ପରେ ମହାପ୍ରଭୁଙ୍କ ବିବାହ ନିତି ଅନୁଷ୍ଠିତ ହୋଇଥାଏ । ସେପଟେ ଏହିନିତିକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ଗତକାଲି ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ପରାମର୍ଶ ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ପ୍ରତିନିଧି ।

Leave a Reply

Your email address will not be published.