ଅଗ୍ନିଶମ ଡିଜି ଭାବେ ଦାଇତ୍ୱ ଗ୍ରହଣ କଲେ ଆଇପିଏସ ଡ.ସତ୍ୟଜିତ ମହାନ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ମହାନ୍ତି ଏବେ ଗୁଇନ୍ଦା ସଂସ୍ଥା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ସେ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ତେବେ ଦାୟିତ୍ୱ ଗ୍ରହଣ ପରେ ସତ୍ୟଜିତ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ଭାରତରେ ସୁନାମ ରହିଛି । ଏହି ଧାରା ଆଗକୁ ବଜାୟ ରଖିବି । ୧୫ ହଜାରରୁ ଅଧିକ ହୋମଗାର୍ଡ ରାଜ୍ୟରେ କାର୍ୟ୍ୟରତ ଅଛନ୍ତି । ତାଙ୍କର ଉନ୍ନତି ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ।
ରାଜ୍ୟରେ ଅଗ୍ନିଶମ ବିଭାଗର ୩ଟି ରେଞ୍ଜ ରହିଛି । ଏହି ୩ଟି ରେଞ୍ଜରେ ଏବେ ୩୩୮ଟି ଦମକଳ କେନ୍ଦ୍ର କର୍ୟ୍ୟକ୍ଷମ ରହିଛି । ହାବିଲଦାର, ଫାୟାର ମ୍ୟାନ୍, ଡ୍ରାଇଭର, ଆସିଷ୍ଟାଣ୍ଟ ଡ୍ରାଇଭର ଆଦି ମିଶି ପ୍ରାୟ ୫ହଜାର ୬୦୦ କର୍ମଚାରୀ, ପ୍ରାୟ ୫୫୦ ଅଫିସର ଏବେ ଅଗ୍ନିଶମ ସେବା ସଂସ୍ଥାରେ ନିୟୋଜିତ ଅଛନ୍ତି । କର୍ମଚାରୀମାନଙ୍କୁ ବୈଷୟିକ ତାଲିମ୍ ପ୍ରଦାନ ପାଇଁ ୩ଟି ଟ୍ରେନିଂ ସେଣ୍ଟର ମଧ୍ୟ ରହିଛି । ବଡ଼ବଡ଼ ହୋଟେଲ୍, ସପିଙ୍ଗ୍ ମଲ୍, ସିନେମା ହଲ୍, ଘରୋଇ ଡାକ୍ତରଖାନା, ନର୍ସିଂହୋମ୍, ଆପାଟ୍ମେଣ୍ଟ୍ ଓ ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଠିକ୍ ଯାଞ୍ଚ କରି ଫାୟାର ସେଫ୍ଟି ସାର୍ଟିଫିକେଟ୍ ପ୍ରଦାନ କରିବା କ୍ଷେତ୍ରରେ ଅଗ୍ନିଶମ ସେବା ସଂସ୍ଥା ଚର୍ଚ୍ଚାରେ ରହି ଆସୁଛି ।