ବନ୍ଦେ ଉତ୍କଳ ଜନନୀ ଗାଇବାକୁ ପୂର୍ବାହ୍ନରେ ନିମନ୍ତ୍ରଣ,ସନ୍ଧ୍ୟାକୁ ନାଁ !
ଭୁବନେଶ୍ବର,(ଓଡିଶା ଟାଇମ): କୋରୋନା ସଂକ୍ରମଣ ଦେଶରେ ହୁ ହୁ ହୋଇ ବଢି ଚାଲିଛି l ଆଉ ଏଥିରେ କୋରୋନା ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକ l ସେମାନେ ଦିନ ରାତି ଏକ କରି କୋରୋନା ଭୁତାଣୁକୁ ଦୂର କରିବା ପାଇଁ ଲାଗିପଡିଛନ୍ତି l କିନ୍ତୁ ଏହାରି ମଧ୍ୟରେ ରାଜ୍ୟ ସରକାର ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସନ୍ଧ୍ୟା ସାଢେ ୫ ଟା ବେଳେ ‘ବନ୍ଦେ ଉତ୍କଳ ଜନନୀ’ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଏହାକୁ ଅନେକ ଉତ୍କଣ୍ଠlର ସହ ଅପେକ୍ଷା କରିଛନ୍ତି ଲ ଏଥିପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁବାସ ଦାସ ଓ ତୃପ୍ତି ଦାସଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗୀତ ରେକଡ଼ିଂ ମଧ୍ୟ କରାଯାଇଛି l ତେବେ ସଂସ୍କୁତି ଜଗତର କିଛି ବରେଣ୍ୟ ବ୍ୟକ୍ତିଙ୍କୁ ଏହି ଗୀତ ଗାଇବାକୁ ସଚିବାଳୟ ଡକାଯାଇଥିଲେ ହେଁ ପରବର୍ତୀ ସମୟରେ ନ ଆସିବାକୁ ସିଧା ସଳଖ ମନା କରିଦିଆଯାଇଥିଲା l
ସୂଚନାନୁଯାୟୀ, କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ସାହିତ୍ୟିକ ହର ପ୍ରସାଦ ଦାସ, ଓଡିଶୀ ନୃତ୍ୟଶିଳ୍ପୀଅରୁଣା ମହାନ୍ତି, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଳିତ,ଚିତ୍ରଶିଳ୍ପୀ ରାମ ହରି ଜେନା, ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ର ନାଥ ମଲିକ,ଗାନ୍ଧୀବାଦୀ ପ୍ରହଲାଦ ସିଂହାଙ୍କ ସମେତ ମୋଟ ୧୦ ଜଣ ଙ୍କୁ ସଚିବାଳୟ ଡକାଯାଇଥିଲା l ମାତ୍ର ସନ୍ଧ୍ୟାରେ ପୁଣି ସେମାନଙ୍କୁ ଫୋନ ଯୋଗେ ମନା କରାଯାଇଥିଲା l ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ବରିଷ୍ଠତା ଦୃଷ୍ଟିରୁ ସେମାନଙ୍କୁ ମନା କରାଯାଇଛି l ଏହା ସହ ସଚିବାଳୟ ମଧ୍ୟକୁ ଏତେ ସଂଖ୍ୟକ ଗାଡି ପ୍ରବେଶ କରାଇବା ସମ୍ଭବ ନ ଥିବାରୁ ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତି ମାନେ ଚାଲି ଚାଲି ଯିବ ସମ୍ଭବ ହୋଇ ନଥାନ୍ତା, ତେଣୁ ଶେଷ ମୁହୂର୍ତ୍ତରେ ସେମାନଙ୍କୁ ମନା କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଛନ୍ତି l