ରାଜ୍ୟରେ କୋଭିଡ୍‌ ପରବର୍ତ୍ତୀ ଅର୍ଥନୀତିକ ସୁଧାର ଯୋଜନା: ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାର ତାଙ୍କର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କୋଭିଡ୍‌ ବିପର୍ଯ୍ୟୟ ମୁକାବିଲା ତଥା ଲୋକଙ୍କୁ ଜୀବୀକା ପ୍ରଦାନ କରିବା ଉାଦ୍ଦଶ୍ୟରେ ଏକ ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡର ଅନୁମୋଦନ ପରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୃଷି, ମତ୍ସ୍ୟଚାଷ, ପ୍ରାଣୀପାଳନ, ସମବାୟ, ହସ୍ତଶିଳ୍ପ, ଖାଦ୍ୟ ସୁରକ୍ଷା, ଦକ୍ଷତା ବିକାଶ, ବାରିଆଡ଼େ ପନିପରିବା ଓ ଫଳଗଛ ଲଗାଇବା ଆଦି ଲାଗି ଗ୍ରାମାଞ୍ଚଳରେ ଏହି ରାଶି ବିନିଯୋଗ ହେବ। ଏହାଛଡ଼ା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମଧ୍ୟ ଏହି ପ୍ୟାକେଜ୍‌ରେ ବ୍ୟବସ୍ଥା ରହିଛି।

ସରକାର ଏହି ସ୍ଵତନ୍ତ୍ର ପ୍ୟାକେଜ୍‌ର ନାଁ ଦେଇଛନ୍ତି  ଜୀବୀକା ଖସଡ଼ା। ଏହି ସ୍ଵତନ୍ତ୍ର ଜୀବନ ଜୀବୀକା ଖସଡ଼ା ରେ ୧୭ ହଜାର କୋଟି ଟଙ୍କା ଖର୍ଚ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।  ଯୁଦ୍ଧକାଳୀନ ଭିତ୍ତିରେ ଏହି ଅର୍ଥ ଖର୍ଚ କରାଯିବ।  ଜୁନ୍‌ ୧ ତାରିଖରୁ ଏହି ଖର୍ଚ ଆରମ୍ଭ ହୋଇ ମାର୍ଚ ୩୧ ସୁଦ୍ଧା ସମ୍ପନ୍ନ ହେବ। ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।  ଏଥିନେଇ ସରକାରଙ୍କ ମନ୍ତ୍ରିମଣ୍ଡଳ ଆବଶ୍ୟକ ଆଲୋଚନା କରି ସରକାରୀ କଳକୁ ଉପଯୋଗ ପାଇଁ ନିର୍ଦେଶ ଦେଇଛନ୍ତି।

ସମ୍ପ୍ରତି କୋଭିଡ୍‌-୧୯ ହେତୁ ଯେଉଁ ଅର୍ଥନୀତିକ ସଙ୍କଟ ଆମେ ସମ୍ମୁଖୀନ ହେଉଛୁ ସେଥିଲାଗି ଅର୍ଥନୀତିକ ହସ୍ତକ୍ଷେପ ଅତି ଜରୁରୀ। ଏହାଦ୍ଵାରା ଗ୍ରାମାଞ୍ଚଳ ଲୋକ ସିଧାସଳଖ ଲାଭ ପାଇବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

କୃଷି, ପ୍ରାଣୀପାଳନ ଓ ମତ୍ସ୍ୟ ଚାଷକୁ ୩୭୩ କୋଟି ୭୦ ଲକ୍ଷ

କୃଷି କ୍ଷେତ୍ରରେ ଏହି ଯୋଜନା  ଅଧୀନରେ ୨୦୦ କୋଟି ଟଙ୍କା ଖର୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୨୪.୫ ଲକ୍ଷ ଚାଷୀ  ଏଥିରେ ସୁବିଧା ପାଇବେ। ୧୦ ଲକ୍ଷ ଚାଷୀଙ୍କୁ ସାଢ଼େ ୫ ଲକ୍ଷ କ୍ଵିଣ୍ଟାଲ୍‌ ବିହନ ଏହି ଯୋଜନାରେ ଯୋଗାଇଦିଆଯିବ। ୭୫ ପ୍ରତିଶତ ସବ୍‌ସିଡି ବ୍ୟବସ୍ଥା ଏଥିରେ ରହିଛି।  ୫ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍‌ ପନିପରିବା ବିହନ ଯୋଗାଇ ଦିଆଯିବ। ୫୦ ହଜାର ହେକ୍ଟର ଜମିରେ ଏହି ଚାଷ ହେବ। ସେହିପରି ଆଉ ୫ ଲକ୍ଷ ଚାଷୀଙ୍କୁ ପନିପରିବା ବିହନ ମିନି କିଟ୍‌ ଦିଆଯିବ।  ଦୁଇ ଲକ୍ଷ ଚାଷୀଙ୍କୁ ବାଡ଼ିପଟ ଚାଷ ଲାଗି ଆମ୍ବ, ପଣଷ ଫଳ ଚାଷ ଲାଗି ଚାରା ଦିଆଯିବାକୁ ବ୍ୟବସ୍ଥା ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।

ରାଜ୍ୟର ୪୦ଟି ଆଦିବାସୀ ବହୁଳ ବ୍ଲକ୍‌ରେ ୧୨ ହଜାର ଚାଷୀଙ୍କ ଲାଗି ଉଚ୍ଚ ଅମଳ ପନିପରିବା ଚାଷ ଲାଗି ପ୍ରୋତ୍ସାହନ ଦିଆଯିବ। ୪ହଜାର ନୂଆ ପାନ ଚାଷୀଙ୍କୁ ୧୬ କୋଟି ପ୍ରଦାନ କରାଯିବ। ୧୦ ହଜାର ଚାଷୀ, ୫ ହଜାର ମହିଳା ସ୍ଵୟଂସହାୟକଙ୍କୁ ଛତୁ ଚାଷ ଏବଂ ୩ ହଜାର ଫୁଲ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।  ୭୬ ହଜାର ଏକର ଜମିରେ ଚାଷ ପ୍ରଦର୍ଶନ ସହାୟତା ଦିଆଯିବ। ପ୍ରତି ଚାଷୀଙ୍କୁ ଗୋଟିଏ ହେକ୍ଟର କରି ସହାୟତା ପ୍ରଦାନ କରାଯିବ।

ସେହିପରି ମତ୍ସ୍ୟ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି।  ୩୮ ହଜାର ୯୦୦ ମତ୍ସ୍ୟ ଚାଷୀଙ୍କୁ  ୧୧୧.୪୭  କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ୫ହଜାର ଚାଷୀଙ୍କୁ ମାଛ ପୋଖରୀ ଖୋଳିବା, ଚୁଙ୍ଗୁଡ଼ି ଚାଷ, ସାମୁଦ୍ରିକ ମାଛ ଚାଷୀଙ୍କୁ ଜୀବୀକା ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ସଚିବ କହିଛନ୍ତି।

ପ୍ରାଣୀ ପାଳନ କ୍ଷେତ୍ରରେ ୫ହଜାର ୨୫୦ ଚାଷୀଙ୍କୁ ସହାୟତା ଦେବା ଲାଗି ସରକାରେ ୬୨ କୋଟି ୨୩ ଲକ୍ଷ ସହାୟତା ପ୍ରଦାନ କରାଯିବ। ଏଥିରେ କୁକୁଡ଼ା ଚାଷୀ ଓ ଅଣ୍ଡା ଚାଷୀ ମଧ୍ୟ ସାମିଲ୍‌ ଅଛନ୍ତି। ୩୭୩.୭୦ କୋଟି ଟଙ୍କା କୃଷି, ମତ୍ସ୍ୟଚାଷ ପ୍ରାଣୀପାଳନ କ୍ଷେତ୍ରରେ ଖର୍ଚ କରାଯିବ।

୨୦ କୋଟି କାର୍ଯ୍ୟ ଦିବସ

ଯେହେତୁ ଅନେକ ସଂଖ୍ୟାରେ ପ୍ରବାସୀ ନିଜ ଗାଁକୁ ଫେରିଛନ୍ତି ଏବଂ ସେମାନଙ୍କୁ କାମଧନ୍ଦା ଯୋଗାଇବା ସରକାରଙ୍କ ଦା୍ରିତ୍ଵ ତାହାକୁ ଆଖିରେ ରଖି ସରକାର ଏହି ସମୟରେ ୨୦ କୋଟି କାର୍ଯ୍ୟ ଦିବସ ସୃଷ୍ଟି ଲାଗି ଲକ୍ଷ୍ୟ ରଖିଛନ୍ତି।  ବିଭିନ୍ନ ଯୋଜନା ମାଧ୍ୟମରେ ୬୬୪୦ କୋଟି ଟଙ୍କାରେ ୪୬,୪୫ ଲକ୍ଷ ହିତାଧିକାରୀଙ୍କୁ  ପାଇଁ ଏହି ୨୦ କୋଟି କାର୍ଯ୍ୟ ଦିବସ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ସେହିପାି ଦକ୍ଷତା ବିକାଶ ଲାଗି ୪୦ କୋଟି ଟଙ୍କା ପ୍ରଦାନ କରାଯିବ।  ସବୁ ଗ୍ରାମାଞ୍ଚଳ ଘରକୁ ଫଳ ଓ ପନିପରିବା ତଥା ପୁଷ୍ଟିକର  ଖାଦ୍ୟ ଲାଗି ଗଛ ଲଗାଇବାକୁ ସହାୟତା ପ୍ରଦାନ କରାଯିବ। ଏହାଦ୍ଵାରା ଗ୍ରାମାଞ୍ଚଳର ଲୋକଙ୍କ ପାଖଷର ପୁଷ୍ଟିକର ଖାଦ୍ୟ ପହ୍ୟ୍ଚିବା ସହ ସେମାନେ ଏହାକୁ ବିକଅି କରି ଦୁଇ ପଇସା ରୋଜଗାର କରିପାରିବେ।

୭୦୦ କୋଟି ଟଙ୍କା ସୁଧ ରିଆତି

ଚାଷ ପାଇଁ ଖରିଫ ଋତୁରେ ସମବାୟ ବିଭାଗ ପକ୍ଷରୁ ୯ହଜାର କୋଟି ଟଙ୍କା ଋଣ ଦିଆଯିବ। ୨୦ ଲକ୍ଷ  ଚାଷୀଙ୍କ ଲାଗି ଏହି ଯୋଜନା ରହିବ। ସେହିପରି ପୂର୍ବରୁ ଋଣ ନେଇଥିବା  ୧୮ ଲକ୍ଷ ଚାଷୀଙ୍କ ଲାଗି ୭୦୦ କୋଟି ଟଙ୍କାର ସୁଧକୁ ଓଡ଼ିଶା ସରକାର ବହନ କରିବେ।

ବୟନିକାକୁ ୨୫ କୋଟି 

ହସ୍ତଶିଳ୍ପ ଓ ହସ୍ତ ତନ୍ତ କ୍ଷେତ୍ରରେ ବିକାଶ ଲାଗି ସରକାର ୩୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଏଥିରେ ଉତ୍କଳିକାକୁ ୫ କୋଟି ଟଙ୍କା ଏବଂ ବୟନିକାକୁ ୨୫ କୋଟି ଟଙ୍କା ପ୍ରଦାନ କରାଯିବ। ଏହା ସୁଧ ବିହୀନ ରହିବ।  ଏହି ଅର୍ଥ ସହାୟତାରେ ସମ୍ପୃକ୍ତ ଦୁଇଟି ସଂସ୍ଥା ଆବଶ୍ୟକ ବୈଷୟିକ ଉନ୍ନତି ଆଣିବା ସହ ବୁଣାକାର ଓ ଶିଳ୍ପୀଙ୍କଠାରୁ ଜିନିଷ କିଣି ତାହାକୁ ମହଜୁଦ କରିପାରିବେ।

୨ ଶିଳ୍ପ ପାର୍କ, ୧୪ ହଜାର କୋଟି ନିବେଶ

ଶିଳ୍ପ କ୍ଷେତ୍ରର ବିକାଶ ଲାଗି  ସରକାର ରାଜ୍ୟରେ ଦୁଇଟି ନୂଆ ଶିଳ୍ପ ପାର୍କ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି। ଗୋଟିଏ ଧାମରାରେ ରହିବ ଏବଂ ଅନ୍ୟଟି ଢେଙ୍କାନାଳ ଜିଲ୍ଲାରେ ଗଠନ ହେବ। ପ୍ରତ୍ୟେକ ଶିଳ୍ପ ପାର୍କ ୧୦୦୦ ଏକର ଜମି ଉପରେ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଧାମରାରେ ଟେକ୍ସାଇଲ୍‌  (କପଡ଼ା) ପାର୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଢେଙ୍କାନାଳରେ ମେଡିକାଲ୍‌ ପାର୍କ ହେବ। ପ୍ରତ୍ୟେକ ପାର୍କରେ ସରକାର ୭ ହଜାର କୋଟି ଟଙ୍କା ଖର୍ଚ କରିବେ।  ଏହାଦ୍ଵାରା ଧାମରାରରେ ୨୦ ହଜାର ଏବଂ ଢେଙ୍କାନାଳରେ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Leave a Reply

Your email address will not be published.