ଓଡିଶା ମୁହାଁ ପଙ୍ଗପାଳ,ଚାଷୀଙ୍କୁ ଘାରିଛି କ୍ଷତିର ଭୟ

ଭୁବନେଶ୍ୱର,(ଓଡଶା ଟାଇମ୍): ରାଜସ୍ଥାନ , ମଧ୍ୟପ୍ରଦେଶରେ ପଙ୍ଗପାଳ ଯୋଗୁ ଫସଲ ନଷ୍ଟ ହେଉଥିବା ବେଳେ ଏବେ ଓଡିଶା ଚାଷୀଙ୍କୁ ଘାରିଛି ଭୟ । ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ । ଦଳଦଳ ହୋଇ, ଦେଶ ଭିତରେ ଉତ୍ପାତ ଆରମ୍ଭ କରିଦେଇଛନ୍ତି । ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାକୁ ଝୁଣି ଝୁଣି ଖାଇବା ପରେ ମଧ୍ୟପ୍ରଦେଶକୁ ପ୍ରବେଶ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଚାଷ ଓ ଚାଷୀଙ୍କୁ କଲବଲ କରୁଛନ୍ତି । ତେଣୁ ପଙ୍ଗପାଳ ଦଳ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଓୟୁଏଟି ଅଧିନ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି ।

ତେବେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହେଲେ ଏଥିରୁ ଫସଲକୁ ରକ୍ଷା କରିବା ପାଇଁ ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରବେଳା ସିଞ୍ଚନ ପାଇଁ ଛାଷୀଙ୍କୁ ପରାମର୍ଶ ଦିଆଯାଇଛି । ବଜାରରେ ମିଳୁଥିବା ୩ଶହ ପିପଏମର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ୧ଲିଟର ହିସାବରେ ୨ଶହ ଲିଟର ପାଣି ସହିତ ମିଶାଇ ଉପରବେଳା ମଧ୍ୟ ପକାଇପାରିବେ । ପଙ୍ଗପାଳ ଆସିଲେ,ସେମାନଙ୍କୁ ଟିଣ ବାଡେଇ କଣ୍ଟାଯୁକ୍ତ ଡାଳରେ ପିଟି ପିଟି ଘଉଡାଇବା ବ୍ୟବସ୍ଥା କରିପାରିବେ । ଅଧିକ ତଥ୍ୟ ସଂଗ୍ରହ ପାଇଁ ଚାଷୀମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସଂପ୍ରସାରଣ ଅଧିକାରୀଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ ।

କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଭୟବିତ କିମ୍ବା ବିଚଳିତ ନ ହେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଚାଷ କ୍ଷେତରେ ସାମ୍ଭାବ୍ୟ ପଙ୍ଗପାଳ ଆକ୍ରମଣରୁ ରକ୍ଷା ପଇବା ଲାଗି କୃଷି ବିଭାଗ ସହ ଓଡିଶା ଏବଂ ସଂମ୍ପ୍ରସାରଣ ଶିକ୍ଷା ନିର୍ଦ୍ଧେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published.