ରାଜ୍ୟରେ କରୋନା ମୁକାବିଲା: କିଛି ବୁଝିପାରୁନାହାନ୍ତି ନିରଞ୍ଜନ

ଭୁବନେଶ୍ୱର, (ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଫେରନ୍ତା ପ୍ରବାସୀଙ୍କ ଲାଗି ୨୧ ଦିନର ସଙ୍ଗରୋଧ ବାଧ୍ୟତାମୂଳକ କହୁଛନ୍ତି ତ କେତେବେଳେ ୭ ଦିନର ଆନୁଷ୍ଠାନିକ ସଙ୍ଗରୋଧରେ ପ୍ରବାସୀଙ୍କୁ ମୁକ୍ତ କରାଯାଉଛି। ପୁଣି ଏବେ ବାହାର ରାଜ୍ୟରୁ ଆସୁଥିବା ଲୋକଟିଏ ଯଦି ୩ ଦିନରୁ କମ୍‌ ସମୟ ରହିବ ତେବେ ତାଙ୍କୁ  କ୍ମାରେଣ୍ଟୀନ୍‌ରେ ରହିବାକୁ ପଡ଼ିବ ନାହିଁ। ଏପରି ନିୟମଗୁଡ଼ିକୁ ଶୁଣିଲା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବେଶ୍‌ ବ୍ୟସ୍ତ ଓ ବିଚଳିତ ଥିବା କହିଛନ୍ତି। ଏପରିକି ‘ମୁଁ କିଛି ବୁଝିପାରୁନି’ ବୋଲି ବି ଗଣମାଧ୍ୟମକୁ କହିଛନ୍ତି। 

ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ବର୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି । ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି।

[videopress 0qTHmWwU]

 ସେ କହିଛନ୍ତି ରାଜ୍ୟରେ ଅନେକ ସଙ୍ଗରୋଧ କେନ୍ଦ୍ର ବର୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯେଉଁମାନେ ଏହି ସଙ୍ଗରୋଧରୁ ମୁକୁଳୁଛନ୍ତି, ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବାକଥା ତାହା ଦିଆଯାଉନାହିଁ । କ୍ୱାରେଣ୍ଟୀନ୍ କେନ୍ଦ୍ରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ସେ ବାବଦରେ ବି ରାଜ୍ୟ ସରକାର ସୂଚନା ଦେଉ ନାହାନ୍ତି। ତେଣୁ କ୍ୱାରେଣ୍ଟୀନ ସେଂଟର ଶୃଙ୍ଖଳିତ ଭାବେ ଚାଲୁନାହିଁ ବୋଲି ସେ କହିଛନ୍ତି। 

ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ସରକାର କହିଥିଲେ କି ଚାଉଳ, ଡାଲି ଦେବେ ତାହା ମଧ୍ୟ ଦେଉନାହାନ୍ତି । ଯେଉଁ ଏନ୍‌ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେବା କଥା ତାହା ମଧ୍ୟ କରାଯାଉ ନାହିଁ । ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯିବ । ଲୋକ କେବେ କାମ କରିବେ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

ସବୁଠାରୁ ଚିନ୍ତାର ବିଷୟ ଯେ ପ୍ଲେନ୍ ଆସୁଛି, ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ଆମ ସରକାରଙ୍କୁ ଖବର ଦିଆଯାଉନାହିଁ । ଗତକାଲି ହଜାର ହଜାର ଲୋକ ଆସି ପହଂଚିଛନ୍ତି । ସେମାନଙ୍କ ଅବସ୍ଥା କହିଲେ ନସରେ । କିନ୍ତୁ ଆମ ସରକାର ତାହା ଜାଣି ପାରୁ ନାହାନ୍ତି । ଏବେ କ୍ୱାରେନ୍‌ଟାଇନ୍‌କୁ ୨୧ ଦିନ ପରିବର୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡକୁ ବର୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି । ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତିି କିଛି ବୁଝାପଡୁନି ।

ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍ ମଦ ବିକ୍ରୀ ନିଷ୍ପତି ସଂପର୍କରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରୀ ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା କାରଣ ଲକ୍‌ଡାଉନ ସମୟରେ ଏତେ କ୍ଷତି ହେଲାଣି, ଆଉ ୪/୫ ଦିନ ମଦ ବନ୍ଦ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା ହୋଇଥାଆନ୍ତା ବୋଲି ସେ କହିଛନ୍ତି।

ବର୍ତମାନ ସମୟ ଆସିଛି ଓଡିଶାର ଜନସାଧାରଣ ମଦ ବିକ୍ରୀକୁ ବିରୋଧ କରନ୍ତୁ। ଏହି ସମୟରେ ସରକାରଙ୍କୁ ଏକ ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ । ଏହି କରୋନା ଏକ ଦୁର୍ଯୋଗ । କିନ୍ତୁ ସରକାରଙ୍କୁ ଏହି ସମୟରେ ବହୁତ ଗୁଡିଏ ଯେଉଁ ସୁଯୋଗ ମିଳିଥିଲା, ତାକୁ ଠିକ୍ ରୂପେ ବ୍ୟବହାର କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *