ମୋ’ବସ୍ ଚାଲିବ, କେଉଁଠୁ କେତେ ସମୟରେ ଜାଣନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵର ଭିତରେ ଯାତାୟାତ ସୁବିଧା ଦେବା ଲାଗି ମଙ୍ଗଳବାରଠୁ ମୋ’ ବସ୍ ସେବା ଆରମ୍ଭ କରାଯିବ ବୋଲି କ୍ରୁଟ୍ ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଛନ୍ତି। କିନ୍ତୁ ଏହି ବସ୍ ସେବା କେବଳ ୭ଟି ରୁଟ୍ରେ ଊପଲବ୍ଧ ହେବ। ସକାଳ ସାତଟାରୁ ବସ୍ ସେବା ଆରମ୍ଭ ହୋଇ ସନ୍ଧ୍ୟା ସାତଟାରେ ସରିବ। ଯେଉଁ ସ୍ଥାନଗୁଡ଼ିକୁ ବସ୍ ଚଳାଚଳ କରିବ ସେସବୁ ଅଣ ଶୀତ ତାପନିୟନ୍ତ୍ରିତ ବସ୍ ହେବ। ପୁଣି ଯେଉଁମାନେ ମୁହଁରେ ମାସ୍କ ପିନ୍ଧି ଯାତ୍ରା କରିବାକୁ ଚାହିଁବେ କେବଳ ସେମାନଙ୍କ ପାଇଁ ଏହି ସେବା ଉନ୍ମୁକ୍ତ ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
ଏକ ପ୍ରେସ୍ ବିଜ୍ଞପ୍ତିରେ ମହାପ୍ରବନ୍ଧକ ଦିପ୍ତୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ଆସନ୍ତାକାଲି ୨୬ ମଇ ରୁ ଆରମ୍ଭ ହେବ । “ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବିନା ଶୀତତାପ ନିୟନ୍ତ୍ରିତ ମୋ ବସ ସେବା ୭ଟି ରୁଟ୍ରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକା ରୁଟ୍ରେ ବସ ଚଳାଚଳ କରିବ।
ମୋ ବସ୍ ଚଳାଚଳ କରିବାକୁ ଥିବା ନିର୍ଦ୍ଧାରିତ ରୁଟ୍ଗୁଡ଼ିକ ହେଲା:
- ଏୟାପୋର୍ଟରୁ ସିଡିଏ କଟକ ଭାୟା ଏଜି ଛକ ଓ ପଟିଆ
- ନନ୍ଦନ ବିହାରରୁ ଲିଙ୍ଗିପୁର ଭାୟା ମାଷ୍ଟର କ୍ୟାଣ୍ଟିନ୍, ବାଣିବିହାର ଓ କଳ୍ପନା
- ମାଷ୍ଟର କ୍ୟାଣ୍ଟିନ୍ରୁ ସିଡିଏ, କଟକ ଭାୟା ରସୁଲଗଡ଼ ଓ ବାଦାମ ବାଡ଼ି
- ମାଷ୍ଟର କ୍ୟାଣ୍ଟିନ୍ରୁ ସମ୍ ହସ୍ପିଟାଲ୍ ଭାୟା ଫାୟାର ଷ୍ଟେସନ୍
- ମାଷ୍ଟର କ୍ୟାଣ୍ଟିନ୍ରୁ ଖୋର୍ଦ୍ଧା ଭାୟା ବାଣିବିହାର ବରମୁଣ୍ଡା
- ଡୁମୁଡୁମାରୁ ମଞ୍ଚେଶ୍ଵର ଭାୟା ମାଷ୍ଟର କ୍ୟାଣ୍ଟିନ୍
- ମାଷ୍ଟର କ୍ୟାଣ୍ଟିନ୍ରୁ ଏମ୍ସ ଭାୟା ଫାୟାର ଷ୍ଟେସନ୍ ଓ ବରମୁଣ୍ଡା
ଯାତ୍ରା ସମୟରେ କେହି ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ସିଟ୍ ଭରିଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ଏଥିପାଇଁ ବିନା ମାସ୍କରେ ପ୍ରବେଶ ନିଷେଧ ବୋଲି କ୍ରୁଟ୍ କହିଛି।
- କେବଳ ୭ଟି ରୁଟ୍ରେ ବିନା ଶୀତତାପ ନିୟନ୍ତ୍ରୀତ ବସ ଚାଲିବ ।
- କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ ।
- ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ।
- ଟିକେଟର ସଠିକ ମୁଲ୍ୟ ମୁତାବକ ଖୁଚୁରା ଦେବାକୁ ପଡିବ ।
ମୋ ବସ୍କୁ ସୁରକ୍ଷିତ କରିବା ଲାଗି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତି ଦିନ ବସ୍କୁ ସାନିଟାଇଜ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାବାଦ୍ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆ ଯାଇଛି।
ଆଗାମୀ ଦିନରେ ଡିଜିଟାଲ୍ ଟିକେଟ୍ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରିବା ପାଇଁ ଏବଂ ନୋଟ୍ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍ ତରଫରୁ ଚେଷ୍ଟା ଚାଲିଛି । ଖୁବ୍ଶୀଘ୍ର TAP & PAY CARD, QR CODE ସେବା ଆରମ୍ଭ ହେବାକୁ ଯାଉଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି। କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ଦିପ୍ତୀ ଜଣାଇଥିଲେ । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି ।