ନିଶାରେ ନିଷ୍ପତ୍ତି-୨: ଓଡ଼ିଶା ମଦ ନିଗମର ହୋମ୍ ଡେଲିଭରୀ ମିଶନ ଫେଲ୍

ରାଜ୍ୟରେ ମଦ ହୋମ୍ ଡେଲିଭରି ମିଶନ୍ ଫେଲ୍ ମାରିଛି। ଯେମିତି ଲକ୍ଡାଉନ୍ ସମୟରେ ରେଡ୍ ଓ ଅରେଞ୍ଜ ଜୋନ୍ ବାହାରେ ଯାତ୍ରୀବାହୀ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇ ସରକାର ଫେଲ୍ ହୋଇଥିଲେ ଠିକ୍ ସେମିତି। ଆଜି ପ୍ରଥମ ଦିନରେ ରାଜ୍ୟର କୌଣସି ବି ଗୋଟିଏ ସ୍ଥାନରେ ମଦର ହୋମ୍ ଡେଲିଭରି ହୋଇପାରିନି । କାଉଁଟର୍ ନଖୋଲି, କୌଣସି ଫୁଡ୍ ଏଗ୍ରିଗେଟର ସଂସ୍ଥା ବା ନିଜସ୍ୱ(ମଦ ଦୋକାନୀ) ନିଯୁକ୍ତ କର୍ମଚାରୀଙ୍କ ଦ୍ୱାରା ଗ୍ରାହକଙ୍କ ଘରେ ମଦ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମଦ ବିକ୍ରେତାଙ୍କ ଅମଙ୍ଗ ହେତୁ ବିଫଳ ହୋଇଛି।
ହୋମ୍ ଡେଲିଭରି ସହ କାଉଣ୍ଟର ବିକ୍ରି ଜିଦିରେ ଦୋକାନୀମାନେ ଅଟଳ ରହିଥିବା ହେତୁ ଆଗ୍ରହୀ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିନି ମଦ ବୋତଲ । ଦିନ ତମାମ ଜିଲ୍ଲାୱାରୀ ଅବକାରୀ ଅଧୀକ୍ଷକଙ୍କ ସହ ଆଲୋଚନା ପରେ ଏବେ ରାଜ୍ୟ ମଦ ବ୍ୟବସାୟୀ ସଂଘ ଅବକାରୀ କମିଶନରଙ୍କ ସହ ଆଲୋଚନା କରି ନିଜ ଦାବିକୁ ପୂରଣ କରିବାକୁ ଲାଗି ପଡ଼ିଛି। କେବଳ ସେତିକି ନୁହେଁ, ବସ୍ ମାଲିକଙ୍କ ଜିଦ୍ ଆଗରେ ପରିବହନ ବିଭାଗ ମୁଣ୍ଡ ନୁଆଁଇ ପରିପୂଣ୍ଣ ବସ୍ ଚଳାଚଳକୁ ସରକାର ଅନୁମତି ଦେବା ଭଳି ତାଙ୍କ ଦାବିକୁ ମଧ୍ୟ ସରକାର ମାନିବାକୁ ବାଧ୍ୟ ହେବେ ବୋଲି ଯୁକ୍ତି ବାଢ଼ୁଛନ୍ତି।
କରୋନା ଭୁତାଣୁ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ଦ୍ଵାରା ମାର୍ଚ୍ଚ ୨୫ ତାରିଖରୁ ମଦ ବିକ୍ରି ନିଷିଦ୍ଧ ହୋଇଛି । ଆମ ରାଜ୍ୟରେ ମାର୍ଚ୍ଚ 20 ତାରିଖରୁ ମଦ ବିକ୍ରି ବନ୍ଦ ରହିଥିଲା । କିନ୍ତୁ ଲକ୍ ଡାଉନ୍ ୪ ରେ ସବୁ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ମଦ ବିକ୍ରି ନେଇ ସରକାର ବିଳମ୍ବରେ ନିଷ୍ପତ୍ତି ନେଲେ । ୯୦ ଦିନ ପରେ ମଦ ଦୋକାନରେ ଆଗରେ ଗହଳି ନକରାଇ ଦେବାକୁ ଅନ୍ ଲାଇନ୍ ହୋମ୍ ଡେଲିଭରି ବ୍ୟବସ୍ଥା କଲେ । ଜମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଏଗ୍ରିଗେଟର ସଂସ୍ଥା, ହୋମ୍ ଡେଲିଭରି ନିମନ୍ତେ ଲାଇସେନ୍ସ ନେଲେ । ଗ୍ରାହକ ବି ଅର୍ଡର ବୁକ୍ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ମଦ ଦୋକାନୀଙ୍କ ବିରୋଧ ଯୋଗୁଁ ମିଶନ୍ ଫେଲ୍ ହୋଇଥିବା ଜଣାପଡ଼ିଛି।
ଗତ ଦୁଇ ମାସ ଭିତରେ ବିନା ମଦରେ ରାଜ୍ୟରେ କାହାର ଜୀବନ ଯାଇନି । ଏପରିକି କାହିଁକି ମଦ ଦୋକାନ ଖୋଲାଯାଉ ନାହିଁ ବୋଲି କେହି ଜଣେ ବି ସରକାରଙ୍କ ନିକଟରେ ଦାବି କରି ନାହାନ୍ତି, ବରଂ ସୁଯୋଗକୁ ହାତଛଡ଼ା ନକରି ରାଜ୍ୟରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ଲୋକେ ଦାବି କରିଛନ୍ତି । ତଥାପି ରାଜସ୍ୱ ଲୋଭରେ ସରକାର ମଦ ଛାଡ଼ିପାରୁ ନାହାନ୍ତି । ଯେଉଁଥି ପାଇଁ ହୋମ୍ ଡେଲିଭରିର ବ୍ୟବସ୍ଥା କରାଯାଇଛି।
କାହିଁକି ଅନ୍ ଲାଇନ୍ ହୋମ୍ ଡେଲିଭରିକୁ ମଦ ଦୋକାନୀଙ୍କର ବିରୋଧ ?
- ରାଜ୍ୟର ଅଧିକାଂଶ ଦୋକାନୀ, MRP ଠାରୁ ୧୦ରୁ ୧୫ ଟଙ୍କା ଅଧିକରେ ମଦ ବିକ୍ରି କରିଥାନ୍ତି ।
- କାର୍ଡ ସ୍ୱାଇପ୍ କଲେ ଅଧିକାଂଶ ଦୋକାନୀ, MRP ଠାରୁ ୨ରୁ ୩ ପ୍ରତିଶତ ଅଧିକ ଟଙ୍କା ନେଇଥାନ୍ତି ।
- ଅନ୍ ଲାଇନ୍ ହୋମ୍ ଡେଲିଭରି ପାଇଁ ଦୋକାନୀଙ୍କୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ । ବୈଷୟିକ ଜ୍ଞାନ କୌଶଳର ସହାୟତା ନେବାକୁ ପଡ଼ିବ ।
- ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରାଇସ୍ ଅର୍ଡର ଏବଂ ଡେଲିଭରି ଚାର୍ଜକୁ ଦେଖିଲେ ବିକ୍ରି ପୂର୍ବାପେକ୍ଷା ଯଥେଷ୍ଟ କମିଯିବା ଆଶଙ୍କା କରୁଛନ୍ତି ମଦ ଦୋକାନୀ ।
- ଏବେ ବି ଅଧିକାଂଶ ଗ୍ରାହକ ଅନ୍ ଲାଇନ୍ ଅର୍ଡର ବୁକିଂ ବାବଦରେ ଅବଗତ ନଥିବା ବେଳେ ଗ୍ରାମାଞ୍ଚଳରେ ନେଟୱାର୍କ ପ୍ରୋବଲେମ୍ ରହିଛି ।
- ମାସିକିଆ କୋଟା ପୂରଣ ପାଇଁ କାଉଁଟର ବିକ୍ରି ବ୍ୟତୀତ ଆଖପାଖ ଅଞ୍ଚଳରେ ଚୋରା ବେପାରୀଙ୍କୁ ଯୋଗାଇ ଥାଆନ୍ତି ।
- ସେଲସ୍ ମ୍ୟାନଙ୍କ ଦରମା, ଘର ଭଡ଼ା, ବାଉଁସର୍ ଚାର୍ଜ, ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚାନ୍ଦା ମଧ୍ୟ ରହିଛି । ଏହା ବ୍ୟତୀତ ସ୍ଥାନୀୟ ଅବକାରୀ ବିଭାଗ ଏବଂ ପୋଲିସ୍ ଥାନା ପାଇଁ ମଧ୍ୟ ମଦ ଦୋକାନୀଙ୍କୁ ମାସିକିଆ ବ୍ୟବସ୍ଥା କରିବାକୁ ପଡ଼ିଥାଏ ।
ଅଫ୍ ଦି ରେକର୍ଡର ମଜା ଅନ୍ ଦି ରେକର୍ଡରେ ନାହିଁ । ତେଣୁ ଏସବୁକୁ ଦେଖିଲେ, ଅନ୍ ଲାଇନ୍ ହୋମ୍ ଡେଲିଭରିରେ ମଦ ଦୋକାନୀଙ୍କ ସ୍ୱାର୍ଥରେ ଆଞ୍ଚ ଆସୁଛି । ସେପଟେ ମଦ ଦେଇ ନିଜର କୌଣସି କର୍ମଚାରୀଙ୍କୁ ଅନ୍ୟ ଅଞ୍ଚଳକୁ ପଠାଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଦୋକାନୀ । ଏ କ୍ଷେତ୍ରରେ ପଇସା ପତ୍ର ପ୍ରୋବଲେମ୍ ସହ ଡେଲିଭରି କର୍ମଚାରୀଙ୍କ ପ୍ରତି ଆକ୍ରମଣର ସମ୍ଭାବନାକୁ ମଧ୍ୟ ଏଡ଼ାଯାଇ ପାରିବ ନାହିଁ । ସେପଟେ ଦୂରରୁ ଥାଇ ଅନ୍ ଲାଇନ ଅର୍ଡରରେ ବୈଷୟିକ ତ୍ରୁଟିର ମଧ୍ୟ ସମ୍ଭାବନା ରହୁଛି । ଏଭଳି କ୍ଷେତ୍ରରେ ପେମେଣ୍ଟ୍ ବା ଦେୟକୁ ନେଇ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ ।
ମଦ ହୋମ୍ ଡେଲିଭରି… କରୋନା ପାଇଁ ଗହଳି ନକରାଇ ଦେବାକୁ ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ସତ । ଯାହା ପରୋକ୍ଷରେ ମଦ ବିକ୍ରି ଏବଂ ରାଜସ୍ୱ ଆଦାୟରେ ନିଶ୍ଚିତ ରୂପେ ସ୍ୱଚ୍ଛତା ଆଣିବ । କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ କାହିଁକି ବିରୋଧ କରୁଛନ୍ତି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ? ଟିକେ ଭିତିରେଇକି ଦେଖିଲେ ଏଠି ପ୍ରକୃତ କାରଣ ଜଳ ଜଳ ଦେଖାଯିବ ।
ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ‘ରାଜ୍ୟରେ ୮୫ ପ୍ରତିଶତ ନେତା ମଦୁଆ’। ଏକଥା ଆମେ କହୁନୁ, ମଦର ହୋମ୍ ଡେଲିଭରି ନେଇ ଏମିତି କହିଛନ୍ତି କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ । ପୁରାଣ କାଳରୁ ଦେବ, ଦାନବଙ୍କ ଉଦ୍ଦାହରଣ ଦେଇ ବର୍ତ୍ତମାନ ଯାଏ ଆସିଲେ ସୁର ବାବୁ । ଆଉ କହିଲେ, ମଦକୁ ଛାଡ଼ି ହେବନି । ପରିସ୍ଥିତିକୁ ଦେଖିଲେ ସେୟା ବି ଲାଗୁଛି, ତେଣୁ ସୁର ବାବୁଙ୍କ ମନ୍ତବ୍ୟକୁ ଏଠି ଅସ୍ୱୀକାର କରିବାର ପ୍ରଶ୍ନ ଉଠୁନି । କିନ୍ତୁ ସୁର ବାବୁ, କହିବା ପଛରେ ଯାହା ଲୁଚାଇଲେ ଏଠି ଆମେ ତାହା କହୁଛୁ । ରାଜ୍ୟର ଅଧିକାଂଶ ନେତା, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମଦ ବ୍ୟବସାୟରେ ଜଡ଼ିତ । ବୋଧ ହୁଏ ଖାସ୍ ସେଇଥି ପାଇଁ ଲୋକେ ସିନା ୨ମାସ ବିନା ମଦରେ ଆଡଜଷ୍ଟ କରିନେଲେ, କିନ୍ତୁ ସରକାର ସମ୍ଭାଳି ପାରିଲେନି । ତେଣୁ ଏବେ ସରକାରଙ୍କ ଅନ୍ ଲାଇନ୍ ହୋମ୍ ଡେଲିଭରି ନିଷ୍ପତ୍ତିକୁ କିଏ ବିରୋଧ କରୁଛି, ତାହା ଆପଣମାନେ ଅନୁମାନ କରନ୍ତୁ ।
ରାଜ୍ୟର ପ୍ରତି ଘରେ ଦୁଗ୍ଧ ପହଞ୍ଚାଇବାକୁ କିଛି ବର୍ଷ ତଳେ ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାହା ସଫଳ ହୋଇପାରିନି, ବରଂ ଅଭାବୀ ବିକ୍ରି ସାମ୍ନା କରି ଅନେକ ଥର ରାସ୍ତାରେ କ୍ଷୀର ଢାଳିଛନ୍ତି ଚାଷୀ । ଆଉ ଏବେ ମଦର ସମ୍ପୂର୍ଣ୍ଣ ହୋମ୍ ଡେଲିଭରି ନିଷ୍ପତ୍ତି ଠିକ୍ ସେମିତି ଲାଗୁଛି । ବେଶୀ ପଛକୁ ଯିବା ଦରକାର ନାହିଁ, ଏବେର କଥା । କରୋନା ପାଇଁ କ୍ଷମତାର ଅଧା ଯାତ୍ରୀ ନେଇ ବସ୍ ଚଳାଇବାକୁ ସରକାର ନିଷ୍ପତ୍ତି ନେଲେ, ଆଉ ନିର୍ଦ୍ଦେଶ ବି ଦେଲେ । କିନ୍ତୁ ସ୍ପଷ୍ଟ କଲେନି କ୍ଷତି କେମିତି ଭରଣା ହେବ । ଅଧା ଯାତ୍ରୀ ନେଇ ବସ୍ ଚଳାଇବା, ଅସମ୍ଭବ କହି ଗାଡ଼ି ଗଡ଼ାଇଲେନି ବସ୍ ମାଲିକ । ଯେଉଁଥି ପାଇଁ ସରକାର ବାଧ୍ୟ ହୋଇ ନିଷ୍ପତ୍ତି ବଦଳାଇଲେ । ଏଣିକି ଷ୍ଟାଣ୍ଡିଂ ନାହିଁ ସମ୍ପୂର୍ଣ୍ଣ ସିଟିଂ କାପାସିଟିରେ ହିଁ ଗଡ଼ିବ ବସ୍ । ବସ୍ କଥା ଯଦି ଦେଖିବା, ଏଠି ବି ଅନେକ ନେତା ପ୍ରତ୍ୟକ୍ଷ ଓ ପରୋକ୍ଷରେ ବେପାର କରୁଛନ୍ତି । କଞ୍ଚା ପଇସାର ବେପାର ଉପରେ ସରକାର ସିନା ଲୋକ ଦେଖାଣିଆ ନିଷ୍ପତ୍ତି ନେଉଛନ୍ତି, କିନ୍ତୁ ପରୋକ୍ଷରେ ତାଙ୍କ ନିଜ ବା ପାଖ ଲୋକ ହିଁ ତାଙ୍କୁ ବିରୋଧ କରୁଛନ୍ତି । ଏଇ ଯେମିତି ବସ୍ ପରେ ମଦ କ୍ଷେତ୍ରରେ ହେବାକୁ ଯାଉଛି ।
(ଲେଖକ ଜଣେ ସାମ୍ବାଦିକ। ଏହି ସନ୍ଦର୍ଭରେ ଉପସ୍ଥାପିତ ମତ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଉପରେ ଆଧାରିତ।)