୧୯ରୁ ସବୁ କର୍ମଚାରୀ ଅଫିସ ଆସିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ମେ’୧୯ ତାରିଖରୁ ସବୁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବା ଲାଗି ଅଦେଶ ଦେଇଛନ୍ତି ସରକାର। ସମସ୍ତ ବିଭାଗୀୟ ଏବଂ ସବଅର୍ଡିନେଟ୍ ଷ୍ଟାଫ୍ଙ୍କୁ ଏଥିରେ ସାମିଲ୍ କରାଯାଇଛି। କିନ୍ତୁ ଅଫିସରେ ସୋଶାଲ୍ ଡିଷ୍ଟାନ୍ସିଂ ବଜାୟ ରଖି କାର୍ଯ୍ୟ କରିବା ଲାଗି ଏକ ଆଦେଶରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି।
ପୂର୍ବରୁ ଅତି ବେଶୀରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବା ଲାଗି ଅନୁମତି ରହିଥିଲା। ଏବେ ଯଦି କୌଣସି ଅଫିସରେ ସାମାଜିକ ଦୂରତ୍ଵ ରକ୍ଷା କରି କାମ କରିବା ଅସମ୍ଭବ ହୁଏ ତେବେ ବିଭାଗୀୟ ମୁଖ୍ୟ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟିରେ ଡକାଇପାରିବେ ବୋଲି କହିଛନ୍ତି।
ଏହି ଆଦେଶନାମାରେ କୁହାଯାଇଛି ଯେ, ଯଦି କୌଣସି ସରକାରୀ କର୍ମଚାରୀ ଶ୍ଵାସଜନିତ ରୋଗରେ ପୀଡ଼ିତ ବା ତାଙ୍କୁ ଇନ୍ଫ୍ଲୁଏଞ୍ଜା ଭଳି କିଛି ରୋଗ ହୋଇଛି ତେବେ ସେ ଅଫିସ ଆସିବା ଦରାକର ନାହିଁ। ସେ ଛୁଟି ଆବେଦନ କରିପାରିବେ।
ଠିକ୍ ସେହିପରି ଯେଉଁ ସରକାରୀ କର୍ମଚାରୀ ଅବରୋଧ ଅଞ୍ଚଳରେ ଅଛନ୍ତି ସେ ମଧ୍ୟ ଅଫିସ ଆସିବେ ନାହିଁ। ଏଥିଲାଗି ସେ ଅଫିସର ନିୟନ୍ତ୍ରକ ବା ମୁଖ୍ୟଙ୍କୁ ଲେଖି ଜଣାଇବେ ବୋଲି ଶ୍ରୀ ଚୋପ୍ରା ଆଦେଶ ଦେଇଛନ୍ତି।