କରୋନା ସହ ଯୁଦ୍ଧ ପାଇଁ ଆମେରିକା ବ୍ୟବହାର କରିବ ରେମ୍ଡେସିୱିର୍
ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍): ମହାମାରୀ କରୋନାକୁ ହରାଇବା ପାଇଁ ସମଗ୍ର ବିଶ୍ଵ ଲଢ଼େଇ ଜାରି ରଖିଛି। ବିଭିନ୍ନ ଦେଶ ଏଥିପାଇଁ ଟିକା ଓ ଔଷଧ ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି। ଏଭଳି ସ୍ଥିତିରେ ମାରାତ୍ମକ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ରେମ୍ଡେସିୱିର୍ (ସଂକ୍ରମଣ ନିରୋଧୀ ଏକ ଔଷଧ) ବ୍ୟବହାର କରିବା ପାଇଁ ଆମେରିକା ସରକାର ଅନୁମତି ଦେଇଛନ୍ତି। ରେମ୍ଡେସିୱିର୍ର କ୍ଲିନିକାଲ୍ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ସକରାତ୍ମକ ଫଳାଫଳ ଦେବାପରେ ସମ୍ପ୍ରତି ଏହି ଔଷଧ ଉପରେ ସବୁ ଦେଶର ନଜର ରହିଛି।
ସୂଚନା ଅନୁସାରେ ଆମେରିକାର ଖାଦ୍ୟ ଓ ଔଷଧ ବିଭାଗ ପ୍ରଶାସନ (FDA) କରୋନା ରୋଗୀଙ୍କ ଚିକିତ୍ସାବେଳେ ଜରୁରିକାଳୀନ ପରିସ୍ଥିତିରେ ରେମ୍ଡେସିୱିର୍ ଔଷଧ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ବିଭାଗୀୟ ମୁଖ୍ୟ ଷ୍ଟିଫାନ୍ ହାନ୍ ଏନେଇ ସବିଶେଷ ସୂଚନା ଦେଇଛନ୍ତି। ରେମ୍ଡେସିୱିର୍ ପ୍ରସ୍ତୁତ କରୁଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗିଲିୟଡ୍ ସହ ଏନେଇ ଆଲୋଚନା ହୋଇସାରିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏନେଇ ଆଶାବାଦୀ ହୋଇଥିବା ଜଣାପଡ଼ିଛି। ସେହିପରି ଗିଲିୟଡ୍ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଡାନିଏଲ୍ ଓ ଡେ ୧୦ ଲକ୍ଷରୁ ଅଧିକ ଔଷଧଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ସରକାରଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି।