ଦୁଇ ମାସ ତଳେ ନକ୍ସଲ ଆଇଇଡି ଲଗାଇଥିଲେ, ପୁଲିସ କାହିଁକି ଖୋଜି ପାଇଲା ନାହିଁ

ଦାନ୍ତେଓ୍ଵାଡ଼ା: ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ଗୁରୁବାର ହୋଇଥିବା ନକ୍ସଲ ଆକ୍ରମଣକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଛତିଶଗଡ଼ ପୁଲିସ ଶୁକ୍ରବାର କହିଛି ଯେ ନକ୍ସଲମାନେ ଦୁଇମାସ ତଳେ ଏକ ଆଇଇଡି ଲଗାଇଥିଲେ । ସେହି ରାସ୍ତା ଦେଇ ଡିଆରଜି ଗାଡ଼ି ଯିବା ପୂର୍ବରୁ ରାସ୍ତାକୁ ସାନିଟାଇଜ୍ କରାଯାଇଥିଲା, କିନ୍ତୁ ଆଇଇଡି ଠାବ ହୋଇପାରିନଥିଲା । ସାନିଟାଇଜେସନ୍ ସମୟରେ ସମସ୍ତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା କି ନାହିଁ ତାହା ଏବେ ପ୍ରଶ୍ନ ଉଠୁଛି ।

ଗୁରୁବାର ଏନ୍‍କାଉଣ୍ଟରରୁ ଫେରୁଥିବା ଡିଆରଜିଙ୍କ ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ କରି ନକ୍ସଲମାନେ ସେମାନଙ୍କର ଗୋଟିଏ ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଏଥିରେ ୧୦ ଜଣ ଡିଆରଜି କର୍ମଚାରୀ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଗତ ଦୁଇବର୍ଷ ମଧ୍ୟରେ ଏହା ଥିଲା ସବୁଠାରୁ ଭୟଙ୍କର ନକ୍ସଲ ଆକ୍ରମଣ । ପୁଲିସର ବୟାନ ପରେ କୁହାଯାଉଛି ଯେ, ରୁଟ୍‍ର ତଦନ୍ତବେଳେ କାହିଁକି ଆଇଇଡି ଠାବ ହୋଇପାରିଲା ନାହିଁ ।

ବସ୍ତର ଜୋନ୍ ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ ନକ୍ସଲମାନେ ୪୦ରୁ ୫୦ କେଜି ଆଇଇଡି ଲଗାଇଥିଲେ । ଏହାକୁ ମାଟି ତଳେ ଗଭୀରଭାବେ ଲଗାଯାଇଥିଲା । ତେଣୁ ତାହା ଜଣାପଡ଼ିନଥିଲା । ଡିଆରଜି କାଫିଲାରେ ହୋଇଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡିଟି ଅନେକ ଖଣ୍ଡ ହୋଇଯାଇଥିଲା । ଯବାନଙ୍କ ଶରୀରର ଅଙ୍ଗ ଉଡ଼ି ଯାଇଥିଲା ଏବଂ ପୂରା ରାସ୍ତାରେ ଏକ ବିରାଟ ଗାତ ଥିଲା ।

ଆଇଜି କହିଛନ୍ତି ଯେ ପ୍ରାଥମିକ ତଦନ୍ତ ଅନୁଯାୟୀ ନକ୍ସଲମାନେ ପ୍ରାୟ ଦୁଇମାସ ତଳେ ଆଇଇଡି ଲଗାଇଥିଲେ । ରାସ୍ତାର ତଳମୁଣ୍ଡରେ ଲାଗିଥିବା ଆଇଇଡି ସହ ଲାଗିଥିବା ତାରକୁ ମଧ୍ୟ ପ୍ରାୟ ୨-୩ ଇଞ୍ଚ ତଳେ ରଖାଯାଇଥିଲା । ତାର ସହ ଟ୍ରିଗର୍ ପ୍ରାୟ ୧୫୦ ମିଟର ଦୂରରେ ଥିଲା । ଏହା ଉପରେ ଘାସ ବଢିଯାଇଥିଲା । ଆଇଜି କହିଛନ୍ତି ଯେ ଏହି ପ୍ରକ୍ରିୟାକୁ ଫକ୍ସହୋଲ୍ ମେକାନିଜିମ୍ କୁହାଯାଏ । ଡିମିନିଂ ପ୍ରକ୍ରିୟା ସମୟରେ ଏହା ଚିହ୍ନଟ ହୁଏ ନାହିଁ । ଅଧିକ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି । ଏହାପରେ ହୁଏତ କିଛି ବିସ୍ତୃତ ତଥ୍ୟ ମିଳିପାରିବ ।

ଲିସ୍ ଏହି ଆକ୍ରମଣ ଯୋଜନା କରିଥିବା କିଛି ନକ୍ସଲଙ୍କୁ ଚିହ୍ନଟ କରିଛନ୍ତି । ଦର୍ଭା ଡିଭିଜନ କମିଟିର ଜଗଦୀଶ, ଲକ୍ଷେ, ଲିଙ୍ଗେ, ସୋମଦୁ ଓ ମହେଶଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି ।

Leave a Reply

Your email address will not be published.