ନିତି ଆୟୋଗ ବୈଠକ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ‘ଆୟୋଗ ହୁଅନ୍ତୁ ଓମ୍ବୁଡ୍ସମ୍ୟାନ’
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ନିତି ଆୟୋଗଙ୍କ ସପ୍ତମ ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ମହାମାରୀର ସଫଳ ପରିଚାଳନା, କମନ୍ୱେଲଥ ଗେମ୍ସରେ ଖେଳାଳିଙ୍କ ସଫଳତା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ଐତିହ୍ୟ ସୁରକ୍ଷା ଲାଗି ମୋଦୀ ନେଇଥିବା ପଦକ୍ଷେପସବୁକୁ ଶ୍ରୀ ପଟ୍ଟନାୟକ ଗୋଟି ଗୋଟିକରି ଉଲ୍ଲେଖ କରିଛନ୍ତି। ଏପରିକି ଶେଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଂଘୀୟ ଭାବନାକୁ ନେଇ ଟିମ୍ ଇଣ୍ଡିଆ ଆଗାମୀ ଦିନରେ ଚମକିବ ବୋଲି ସେ ଶୁଭେଚ୍ଛା ବି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ମୁଖ୍ୟମନ୍ତ୍ରୀଙ୍କ ନିତି ଆୟୋଗ ବୈଠକରେ ବାର୍ତ୍ତାର ନକଲକୁ ପଢ଼ିଲେ ଏହି ବିଷୟ ସ୍ପଷ୍ଟ ହେଉଛି। ପ୍ରଶ୍ନ ଉଠୁଛି ରାଜନୀତିକ ଭାବେ ବିପରୀତ ଏବଂ ଏନ୍ଡିଏର ସଦସ୍ୟ ନଥିବା ବିଜେଡି ଶାସନାଧୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରଶଂସା କିଛି ନୂଅେ ରାଜନୀତି ଇଙ୍ଗିତ ଦେଉଛି କି? ଅପରପକ୍ଷେ ବିଜେପିଠାରୁ ଅଲଗା ହେବାରେ ଏ ଭିତରେ ଅନେକ ବର୍ଷ ହୋଇଗଲାଣି, ପୁଣି ଏହି ଅଲଗା ହେବା ହେତୁ ଓଡ଼ିଶାର ଜନସାଧାରଣ ବିଜେଡିକୁ ବିପୁଳ ଭୋଟ ଦେଉଛନ୍ତି, ତେବେ ଦଳୀୟ ମୁଖ୍ୟଙ୍କ ଏ ଆଭିମୁଖ୍ୟ କ’ଣ ପାଇଁ? ହୁଏତ ଏହା ରାଜ୍ୟ ବିକାଶ ସ୍ୱାର୍ଥରେ ହୋଇଥାଇପାରେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିବରଣରୀରୁ ଏ ବିଷୟ ସେତେଟା ସ୍ପଷ୍ଟ ହେଉ ନାହିଁ। ଅର୍ଥାତ୍ ଏଥିରେ ରାଜନୀତିକ ଗନ୍ଧ ରହିଥିବା ଅନୁମାନ କରାଯିବାଟା ସ୍ୱଭାବିକ।
ପୁଣି କେନ୍ଦ୍ର ଗୃହମନ୍ତ୍ରୀ ତଥା ମୋଦୀ ସରକାରଙ୍କ ସେକେଣ୍ଡ ଇନ୍ କମାଣ୍ଡ ଅମିତ ଶାହ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିଜ ଦଳର ସାଂସଦ ଯିଏ କିଛିଦିନ ହେଲା ଆଉ ନବୀନଙ୍କ ଗୁଡ୍ବୁକ୍ରେ ନାହାନ୍ତି ସେ ପୁଣି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅତିଥି ଭାବେ ଓଡ଼ିଶା ଡାକିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ନିତି ଆୟୋଗରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ପଛରେ ଏହା ବି ଏକ କାରଣ ବୋଲି ରାଜନୀତିକ ସମୀକ୍ଷକମାନେ କହୁଛନ୍ତି।
୨୦୨୦ ମସିହାରେ କରୋନା ହେତୁ ଆୟୋଗଙ୍କ ଏହି ସର୍ବୋଚ୍ଚ ବୈଠକକୁ ବାଜ୍ୟାପ୍ତ କରାଯାଇଥିଲା। ଆଉ ୨୦୨୧ ମସିହାରେ ଏହା ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜନ କରାଯାଇଥିଲା। ଅର୍ଥାତ୍ ଦୁଇବର୍ଷ ପରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆଜି ମୁହାଁମୁହିଁ ବସି ବୈଠକରେ ଆଲୋଚନାର ସୁଯୋଗ ପାଇଥିଲେ। ରାଜ୍ୟର ବିକାଶ ଆଭିମୁଖ୍ୟକୁ ଉପସ୍ଥାପନ କରିବା, ରାଜ୍ୟ ପାଇଁ ସ୍ୱତନ୍ତ୍ର ଯୋଜନା ଦାବି କରିବା, ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବ ରଖିବା ଲାଗି ଏହି ବୈଠକ ଏକ ଉତ୍କୃଷ୍ଟ ମଞ୍ଚ ହୋଇଥାଏ। ହେଲେ ଏହି ବୈଠକରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ବିରୋଧକରି ବୈଠକରେ ଯୋଗ ଦେଇ ନଥାଆନ୍ତି। ଏଥର ବି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏହେଲେ ପ୍ରଧାନମନ୍ତ୍ରୀଙ୍କ କଠୋର ସମାଲୋଚକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନେ ନିଜ ନିଜ ଯୁକ୍ତି ଓ ଦାବିକୁ ଏଠାରେ ଉପସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ୮ ପ୍ରମୁଖ ପ୍ରସଙ୍ଗ:
- ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବୈଶ୍ୱିକ ମହାମାରୀ କୋଭିଡ୍କୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିଛନ୍ତି। ଆଜି କମନୱେଲଥ ଗେମ୍ସରେ ଭାରତ ତାର ପ୍ରଭାବ ପ୍ରଦର୍ଶନ କରୁଛି। ମାତୃଭୂମିକୁ ଗର୍ବିତ କରିଥିବା ଖେଳାଳିମାନଙ୍କୁ ମୋର ଅଭିନନ୍ଦନ।
- ଆମେ ସମସ୍ତେ ଜାଣୁ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି ଗୋଟିଏ ଗୋଟିଏ ରାଜନୀତିକ ବ୍ୟବସ୍ଥା। ଏହିକ୍ରମରେ ବେଳେବେଳେ କେନ୍ଦ୍ରୀୟ ଯୋଜନାକୁ ପ୍ରଣୟନ କରିବାରେ ବିବାଦ ଆସେ। ନିତି ଆୟୋଗ ଏକ ଓମ୍ବୁଡ୍ସ୍ମ୍ୟାନ୍ ଭାବେ କାର୍ଯ୍ୟକରି ଏହି ବିବାଦ ଓ ଦ୍ଵନ୍ଦ୍ଵକୁ ଦୂର କରିପାରିବ। ଏହାଦ୍ୱାରା ସଂଘୀୟ ବ୍ୟବସ୍ଥାର ଗୁରୁତ୍ୱ ବଢ଼ିବା ସହ ଯୋଜନାଗୁଡ଼ିକର ଶୀଘ୍ର ରୂପାୟନ ହୋଇପାରିବ।
- ଐ ମୋ ରାଜ୍ୟ କେନ୍ଦ୍ରୀୟ ତାଲିକାରେ ଆସୁଥିବା ବିଷୟ ଯେମିତି ଟେଲିକମ୍, ରେଳବାଇ ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଅବହେଳିତ ହୋଇ ରହିଆସିଛି। କେନ୍ଦ୍ର ସରକାରଙ୍କୁ ମୁଁ ଅନୁରୋଧ କରିବି ଏ ଦିଗରେ ବିଶେଷ ଧ୍ୟାନ ଦେବେ।
- ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ। ରାଜ୍ୟ ଓ ରାଜ୍ୟବାସୀଙ୍କୁ ଏହି କରାଳ ରୂପରୁ ରକ୍ଷା କରିବା ଲାଗି ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏଣୁ କେନ୍ଦ୍ର ସରକାରଙ୍କୁ ମୁଁ ଅନୁରୋଧ କରୁଛି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଧ୍ୟାନ କେନ୍ଦ୍ରିକ ରାଜ୍ୟ ଭାବେ ଗ୍ରହଣ କରି ବିର୍ପ୍ୟୟ ନରୋଧଲାଗି ପାଣ୍ଠି ବ୍ୟବସ୍ଥା କରନ୍ତୁ।
- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନରେ ସମସ୍ୟା ରହିଛି। ଏଣୁ ଯୋଗ୍ୟ କୃଷକବି ଏଥିରୁ ବଞ୍ଚିତ ରହୁଛନ୍ତି। ନିତି ଆୟୋଗ ଏହାକୁ ଅନୁଶୀଳନ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆମର ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଏବଂ କେବିକେ ଜିଲ୍ଲାକୁ ଧ୍ୟାନରୁ ବାହାରେ ରଖାଯାଇଛି। ଏହାକୁ ତୁରନ୍ତ ସମାଧାନ କରାଯାଉ। ଏ ଦିଗରେ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ରାଜ୍ୟ ଦେଇସାରିଛି।
- ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀ ପାବଚ୍ଛ କୂଅ ଗୁଡ଼ିକର ରକ୍ଷଣା ବେକ୍ଷଣ ଲାଗି ଯେଉଁଭଳି ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ।
- ଏଏସ୍ଆଇରେ ସଂସ୍କାର ସହ ଆମ୍ସାର ଆଇନରେ ସଂଶୋଧନ ହେବା ଆବଶ୍ୟକ। ଏହା କୋଣାର୍କ ଭଳି ଆମର ଐତିହ୍ୟର ସୁରକ୍ଷା ଲାଗି ସହାୟକ ହେବ।