ପିପିଇ କିଟ୍ ପିନ୍ଧି ଭୋଟ ଦେଲେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ
ଭୋପାଳ, (ଓଡିଶା ଟାଇମ୍) : ଦେଶର ୮ଟି ରାଜ୍ୟର ୧୯ଟି ଆସନ ପାଇଁ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି। ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ ମତ ସଂଗ୍ରହ ଚାଲିଛି। ଏହା ଭିତରେ ଶୁକ୍ରବାର ଦ୍ବିପ୍ରହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସର ଜଣେ ବିଧାୟକ ପୂରା ଶରୀରକୁ ପିପିଇ କିଟ୍ରେ ଢାଙ୍କି ମତଦାନ ପାଇଁ ପହଞ୍ଚିବାର ଦେଖିବାକୁ ମିଳିଛି।
ଶୁକ୍ରବାର ସକାଳୁ ହିଁ କଂଗ୍ରେସ ଓ ବିଜେପିର ବିଧାୟକମାନେ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି। ଅପରାହ୍ନ ପାଖାପାଖି ୧ଟା ସମୟରେ କଂଗ୍ରେସ ବିଧାୟକ କୃଣାଲ ଚୌଧୁରୀ ପିପିଇ କିଟ୍ ପିନ୍ଧି ମତଦାନ କରିବାକୁ ବିଧାନସଭା ଭବନରେ ପହଞ୍ଚିଥିଲେ। କିଛି ଦିନ ତଳେ ଏହି ବିଧାୟକ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଅନ୍ୟପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ ଏବଂ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।