କର୍ଫ୍ୟୁ ସୀମା କମିଲା: ଏବେ ରାତି ୯ରୁ ସକାଳ ୫ ଯାତାୟାତ କଟକଣା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧୀରେ ଧୀରେ ଦେଶରେ ଲାଗୁ ହୋଇଥିବା କରୋନା ଭୁତାଣୁ ଜନିତ କଟକଣାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ସୋମବାରଠୁ କେବଳ ଅବରୋଧ ଘୋଷଣା ହୋଇଥିବା ଅଞ୍ଚଳରେ କଟକଣା ରହିବ। ଅନ୍ୟ ସମସ୍ତ ଅଞ୍ଚଳରେ ଜୀବନଜୀବୀକାକୁ ସାଧାରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସବୁଠାରୁ ବଡ଼ କଥା ହେଲା ସନ୍ଧ୍ୟା ସାତଟା ପରେ ଯେଉଁ କର୍ଫ୍ୟୁ ଲାଗୁ କରାଯାଉଥିଲା ତାହାକୁ କୋହଳ କରାଯାଇଛି। ଏବେ ରାତି ୯ଟା ଯାଏ ଦୋକାନ ବଜାର, ଲୋକଙ୍କ ଯାତାୟାତରେ କୌଣସି ସମସ୍ୟା ରହିବ ନାହିଁ।
ଗୃହ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସୋମବାର ସକାଳୁ ଜୁନ୍ ୩୦ ତାରିଖ ଯାଏ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ସକାଳ ୭ଟା ପୂର୍ବରୁ କର୍ଫ୍ୟୁ ରହୁଥିଲା। ଏବେ ତାହାକୁ ସକାଳ ୫ଟାରେ ସୀମିତ ରହିଛି। ଅର୍ଥାତ୍ ସକାଳ ୫ଟାରୁ ରାତି ୯ଟା ଯାଏ ଦେଶରେ ବିଭିନ୍ନ କାରବାର ଓ ବ୍ୟବସାୟ ଜାରି ରହିପାରିବ।
ଅବଶ୍ୟ ରାଜ୍ୟ ସରକାରମାନେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବାବଦରେ ଅଧିକ କଠୋର ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ପର୍ଯ୍ୟାୟକ୍ରମେ ସରକାର ଏହି ସମୟରେ ସମସ୍ତ ବ୍ୟବସାୟ ଓ କାରବାରକୁ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ଵରୂପ ଜୁନ୍୮ ତାରିଖରୁ ଧର୍ମାନୁଷ୍ଠାନଗୁଡ଼ିକ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ। ହୋଟେଲ୍, ରେଷ୍ଟୁରାଣ୍ଟ ଖୋଲା ରହିବ। ଶପିଂ ମଲ୍ଗୁଡ଼ିକୁ ମଧ୍ୟ ଖୋଲା କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।
କିନ୍ତୁୁ ଏହି ବ୍ୟବସାୟ ଓ ଜନଗହଳି ଉପରେ ସାମାନ୍ୟ କଟକଣା ରହିବ। କେମିତି ଲୋକେ ସାମାଜିକ ଦୂରତା ରକ୍ଷା କରିବେ, ମୁହଁରେ ମାସ୍କ ପିନ୍ଧିବେ ତାହାକୁ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି।
ଦ୍ଵିତୀୟ ପର୍ଯ୍ୟାୟରେ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ଖୋଲା ହେବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଜୁଲାଇ ମାସରେ ଏହି ନିଷ୍ପତ୍ତି ନିଆଯିବ।
ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଜାତୀୟ ବିମାନ ଚଳାଚଳ, ମେଟ୍ରୋ ରେଲ, ସିନେମା ହଲ, ଜିମ୍, ଥିଏଟର, ସ୍ଵିମିଂ ପୁଲ, ଖେଳ କଂପ୍ଲେକ୍ସ ପ୍ରଭୃତି ଖୋଲିବା ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରି ଏସବୁ ସେବା ଖୋଲିବା ଲାଗି ନିଷ୍ପତ୍ତି ନେବେ ବୋଲି ସରକାର କହିଛନ୍ତି।