ଠିକଣା ପଥରେ ରଥକାମ: ପ୍ରଥମ ପର୍ଯ୍ୟାୟ ଚକଡେରା ସମ୍ପନ୍ନ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ
ପୁରୀ, (ଓଡ଼ିଶା ଟାଇମ୍): ଦ୍ରୁତ ଗତିରେ ଆଗେଇ ଚାଲିଛି ପୁରୀରେ ରଥନିର୍ମାଣ କାର୍ଯ୍ୟ। ପରମ୍ପରା ଅନୁସାରେ ଧାର୍ଯ୍ୟ ତିଥିକୁ ଆଖିରେ ରଖି ତିନିରଥର ଚକଡେରା କାର୍ଯ୍ୟ ଭଉଁରୀରେ ସମ୍ପନ୍ନ ହୋଇଛି। ଠିକଣା ସମୟରେ ରଥକାମ ଚାଲିଥିବାରୁ ପୂଜାପଣ୍ଡା ସେବାୟତମାନେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ଆଜ୍ଞାମାଳ ଆଣି ପ୍ରଥମ ଡେରା ଚକ ଉପରେ ଲାଗି କରିଛନ୍ତି। ଏହାଦ୍ଵାରା ଯେଉଁ ୧୨ ଦିନରେ ରଥକାମ ଆରମ୍ଭ ହୋଇ ଆଗକୁ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଥିବା ଲାଗି ତାହା ଦୂର ହୋଇଛି।
ସେହିପରି ମହାରଣା ସେବାୟତମାନେ ତିନି ରଥ ପାଇଁ ଆଉ ଦୁଇହଳ ଲେଖାଏଁ ଚକ ପ୍ରସ୍ତୁତ କରିଛନ୍ତି। ତିନି ରଥର ପାର୍ଶ୍ବଦେବଦେବୀଙ୍କ ପାଇଁ ଆବଶ୍ୟକ ଜଳଯନ୍ତ୍ର ମଧ୍ୟ ନିର୍ମାଣ ସରିଛି। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥ ଲାଗି ୯ଟି ଲେଖାଏଁ ଜଳଯନ୍ତ୍ର ପ୍ରସ୍ତୁତ ହୋଇଥିବା ବେଳେ ଶୁଭଦ୍ରାଙ୍କ ରଥ ଲାଗି ୪ଟି ଜଳଯନ୍ତ୍ର ପ୍ରସ୍ତୁତ ହୋଇଚି। ସେହିପରି ଚାରିନାହାକା ଉପରେ ଲାଗିବାକୁ ଥିବା ଦୁଇଟି ଲେଖାଏ ଓରା ପ୍ରସ୍ତୁତ ସରିଛି।
ଶୁକ୍ରବାର ଭଉଁରି ନୀତି ପାଳନ କରିବା ପାଇଁ ମହା ସମାରୋହରେ ପୂଜା ପଣ୍ଡା ସେବାୟତମାନେ ରଥଖଳାକୁ ପ୍ରଭୁଙ୍କ ଆଜ୍ଞାମାଳ ଧରି ପ୍ରବେଶ କରିଥିଲେ। ଏହି ସମୟରେ ଘଣ୍ଟା କାହାଳୀ ଦ୍ଵାରା ରଥଖଳାରେ ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା ।
କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଆରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ । ସମସେ୍ତ ଥିଲେ ବେଶ୍ ଉତ୍ସାହିତ ।
ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତମାନଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା । ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍ ସମୟରେ ରଥ ନିର୍ମାଣ ସଂପୂଣ୍ଣ ହେବ ବୋଲି ସମସେ୍ତ ଆଶାବାଦୀ ଅଛନ୍ତି ।
To read in English Please Click on the following link