ଆଜି ତାଙ୍କ ଜନ୍ମଦିନ: ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଆ ସାହିତ୍ୟରେ ପ୍ରଗତୀବାଦୀ କାବ୍ୟର ପ୍ରତିଷ୍ଠାତା କବି ସଚ୍ଚି ରାଉତରାୟଙ୍କ ଜନ୍ମଦିନରେ ତାଙ୍କର ବଛା ବଛା କୃତୀକୁ ଡିଜିଟାଲ୍‌ ସଂସ୍କରଣ ରୂପ ଦେଇଛି ସୃଜନୀକା। ଏହାଦ୍ଵାରା ଓଡ଼ିଆ ସାହିତ୍ୟରେ ରୁଚି ରଖୁଥିବା ଯେକୌଣସି ବ୍ୟକ୍ତି ତଥା ଗବେଷକ ଓ ଛାତ୍ରଛାତ୍ରୀ ଏହାକୁ ଘରେ ବସି ହାତ ପାହାନ୍ତାରେ ପାଇପାରିବେ, ବିନା ମୂଲ୍ୟରେ। ଲାଗି  ଆପଣଙ୍କୁ ୱେବ୍ ସାଇଟ୍ https://odiabibhaba.in କୁ ଲଗ୍‌ଇନ୍‌ କରିବାକୁ ହେବ।

ସୃଜନୀକା ପକ୍ଷରୁ କୁହାଯାଇଛି, ଏହି ଡିଜିଟାଲ ସଂକଳନରେ କବିତା, ପ୍ରବନ୍ଧ, ଗଳ୍ପ ଓ ଉପନ୍ୟାସ, ଗ୍ରନ୍ଥାବଳୀ, ଆତ୍ମଜୀବନୀ, ଅନୁବାଦ ଓ ଅନୁବାଦିତ, ସ୍ରଷ୍ଟା ଓ ସମୀକ୍ଷା ଆଦି ଭାବରେ ସମସ୍ତ ପୁସ୍ତକକୁ ରଖାଯାଇଛି। ତେବେ ଡିଜିଟାଲ ସଂକଳନ ଜରିଆରେ ସାରା ବିଶ୍ୱର ଲୋକଙ୍କ ପାଖରେ ସଚ୍ଚି ରାଉତରାୟଙ୍କ କୃତିକୁ ପହଞ୍ଚାଇବା ସହ ସଂରକ୍ଷ‌ଣ କରି ରଖିବା ପାଇଁ ତାଙ୍କ ପରିବାର ସହଯୋଗ ଭୁଲିବାର ନୁହେଁ ଏବଂ ପ୍ରେରଣାଦାୟୀ ବୋଲି ସୃଜନିକା ପକ୍ଷରୁ କୁହାଯାଇଛି।

ଅତ୍ୟାଧୁନିକତାର ପ୍ରବର୍ତ୍ତକ ଓ ପ୍ରଗତିବାଦୀ କାବ୍ୟର ପ୍ରତିଷ୍ଠାତା ତଥା ଜ୍ଞାନପୀଠ ପୁରସ୍କାର ବିଜେତା  କବି ସଚ୍ଚି ରାଉତରାୟ  ୧୯୧୬ ମସିହାରେ ଆଜିର ଦିନରେ ଖୋଦ୍ଧା ଜିଲ୍ଲାରେ ଜନ୍ମ ହୋଇଥିଲେ।  କେବଳ କବିତା ନୁହେଁ କ୍ଷୁଦ୍ରଗଳ୍ପ, ସମାଲୋଚନା, ଉପନ୍ୟାସ ଓ ଗବେଷଣାମୂଳକ ଲେଖା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ। ବହୁ ପ୍ରସିଦ୍ଧ ପୁସ୍ତକର ସେ ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି। ସେ ହେଉଛନ୍ତି ‘ଛୋଟ ମୋର ଗାଁଟି’ ଓ ‘ବାଜିରାଉତ’ ପରି ଲୋକପ୍ରିୟ କବିତାର ସ୍ରଷ୍ଟା। ଛୋଟ ମୋର ଗାଁଟି କବିତା ଏତେ ମର୍ମସ୍ପର୍ଶୀ ଯେ ଏହି କବିତା ପଢ଼ିବା ବେଳେ ପାଠକ ଆଖିରେ ନିଜ ଗାଁର ଚିତ୍ର ଆପେ ଆପେ ଭାସିଆସେ। ଭାରତୀୟ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମି, ସୋଭିଏତ୍ ଦେଶ ନେହରୁ ପୁରସ୍କାର, ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନୀତ ହୋଇଥିଲେ। ସଚ୍ଚି ରାଉତରାୟଙ୍କୁ ଜନତାର କବି ବୋଲି ମଧ୍ୟ କୁହାଯାଏ। ଦୀର୍ଘ ସାତ ଦଶନ୍ଧି ଧରି ସେ ନିରନ୍ତର ସାହିତ୍ୟ ସାଧନ କରିଆସିଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀରେ ତାଙ୍କର ଲେଖନୀ ସକ୍ରିୟ ଥିଲା । ସଚ୍ଚି ରାଉତରାୟ କେବଳ ଜଣେ ସାରସ୍ୱତ ସାଧକ ନଥିଲେ, ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱତନ୍ତ୍ରତା ସଂଗ୍ରାମ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଛାତ୍ର-କୃଷକ ଆନ୍ଦୋଳନରେ ଜଣେ ଆଗଧାଡ଼ିର ନେତା ଥିଲେ। ଏପରିକି ସେ ଦୁଇଥର ଜେଲ ମଧ୍ୟ ଯାଇଥିଲେ। ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗରେ ଗାଁରେ ଜନ୍ମଲାଭ କରିଥିବା ସଚ୍ଚି ରାଉତରାୟ ଏବେ ସମସ୍ତ ଓଡ଼ିଆଙ୍କ ଜଣେ ପ୍ରିୟ ମଣିଷ।

ଓଡ଼ିଆ ଓ ଓଡ଼ିଶା ସଂପର୍କୀତ ମୁଦ୍ରିତ ସାମଗ୍ରୀକୁ ସଂରକ୍ଷଣ କରିବା ଏବଂ ବିଶ୍ୱ ଦରବାର ଆଗରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଦୀର୍ଘ ଦେଢ଼ ଦଶନ୍ଧି ଧରି କାମ କରି ଆସୁଛି ସୃଜନିକା। ଓଡ଼ିଆ ବିଭବ ୱେବ୍ ସାଇଟ୍ ମାଧ୍ୟମରେ ଏହି ସଂରକ୍ଷିତ ବହିପତ୍ରକୁ ସମସ୍ତଙ୍କ ପାଖରେ ମାଗଣାରେ ପହଞ୍ଚାଇବାକୁ ଏହି ଅନୁଷ୍ଠାନ ଉଦ୍ୟମ କରୁଛି । ୱେବ୍ ସାଇଟ୍‌ରେ ଏବେ ଲକ୍ଷ ଲକ୍ଷ ପୃଷ୍ଠାର ବହି, ପତ୍ରପତ୍ରିକା, ପୁରୁଣା ଖବରକାଗଜ ସଂରକ୍ଷିତ ହୋଇ ରହିଛି । ଏହା ସହ ବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ଏବଂ ବିଷୟକୁ ନେଇ ଏହି ସାଇଟ୍‌ରେ ୧୬ଟି ଡିଜିଟାଲ ସଂକଳନ ସ୍ଥାନୀତ ହୋଇଛି। କିନ୍ତୁ ଏବେ ବି ବହୁ ମୂଲ୍ୟବାନ ବହି, ପତ୍ରିକା ବିଭିନ୍ନ ସ୍ଥାନ ବା ବ୍ୟକ୍ତି ବିଶେଷଙ୍କ ପାଖରେ ରହିଛି। ତେଣୁ ଏହି ଡିଜିଟାଲ ସଂରକ୍ଷଣ କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରି ସବୁ ବର୍ଗ ଲୋକ ସକ୍ରିୟ ଭାବେ ସାମିଲ ହେବାକୁ ସୃଜନିକା ପକ୍ଷରୁ ଅନୁରୋଧ କରାଯାଇଛି। ନିଜ ତଥା ନିଜ ପରିଚିତ ବ୍ୟକ୍ତିଙ୍କ ପାଖରେ ଥିବା ବହି, ପତ୍ରପତ୍ରିକା ସଂଗ୍ରହ କରି ଯୋଗାଇ ଦେଲେ ତାକୁ ସଂରକ୍ଷଣ କରାଯାଇ ପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *