ଅଣ-କୋଭିଡ୍ ରୋଗୀମାନଙ୍କ ଚିକିତ୍ସାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉ:  ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ-କୋଭିଡ୍ ରୋଗୀମାନେ ଆବଶ୍ୟକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ହୃଦବୋଧ କରି ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ପତ୍ର ମାଧ୍ୟମରେ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ସାଧାରଣ ରୋଗୀ ତଥା ଅଣ କୋଭିଡ୍ ରୋଗୀଟି ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା, ହସପିଟାଲ ଗଲେ କର୍ତୃପକ୍ଷ ସେମାନଙ୍କୁ ପ୍ରଥମେ କୋଭିଡ୍ ହସପିଟାଲ ଯାଇ କୋଭିଡ୍ ପରୀକ୍ଷା କରିବାକୁ ବାଧ୍ୟ କରୁଥିବାର ବହୁ ଅଭିଯୋଗ ପ୍ରାପ୍ତ ହୋଇଛି । ବିଶେଷ ଭାବେ ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ୱର ଥିବା ରୋଗୀମାନେ ଘରୋଇ ଏବଂ ସରକାରୀ ଡାକ୍ତରଖାନାମାନଙ୍କରେ ସଠିକ୍ ଚିକିତ୍ସା ସୁବିଧା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଗ୍ରାମାଂଚଳରେ କରୋନା ଭୂତାଣୁ ପରୀକ୍ଷାଗାର ନଥିବା କାରଣରୁ ବହୁ ସମସ୍ୟା ପରିଲକ୍ଷିତ ହେଉଛି । ରାଜ୍ୟର ପ୍ରାୟ ସମସ୍ତ ଡାକ୍ତରମାନେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ କୋଡ଼ିଡ୍ ରୋଗୀମାନେ ପ୍ରକୃତ ଚିକିତ୍ସା ନପାଇ ନାନଦି ହଇରାଣର ଶିକାର ହେବା ସହ ଅକାଳ ମୃତ୍ୟୁବରଣ କରୁଥିବାର ଅଭିଯୋଗ ପ୍ରାପ୍ତ ହେଉଛି । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକସ୍ଥିତ ଏସସିଭି ମେଡିକାଲ କଲେଜର ହୃଦରୋଗ ବିଭାଗର ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ କରାଯାଇଥରବା କାରଣରୁ ଉକ୍ତ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ଏହା ସଠିକ କାର୍ଯ୍ୟକାରୀ ହେଉନଥିବା କାରଣରୁ ହୃଦରୋଗୀମାନେ ନାହିଁ ନଥିବା ହଇରାଣର ଶିକାର ହେଉଛନ୍ତି । ଏଭଳି ଅଚଳାବସ୍ଥା କାରଣରୁ ଏହି ବିଭାଗ ଉପରେ ନିର୍ଭରଶୀଳ ଗରୀବ ସାଧାରଣ ରୋଗୀଟି ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published.