#lockdown3 ପରେ ଉଡ଼ାଣ: ଦିଲ୍ଲୀ ବିମାନ ବନ୍ଦର ହେଉଛି ସଜବାଜ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁ ମାଡ଼ରେ ଠପ୍ ହୋଇ ପଡ଼ିଥିବା ଜୀବନଯାତ୍ରା ଧୀରେ ଧୀରେ ସ୍ଵଭାବିକ ହେଉଛି। ଦେଶର ହଟ୍ସ୍ପଟ୍ ଏବଂ ରେଡ୍ ଜୋନ୍କୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ ଲୋକଙ୍କ ଯାତାୟାତ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯିବା ସହ ଶିଳ୍ପ ଏବଂ ବାଣିଜ୍ୟିକ କାରବାରକୁ ପୁଣିଥରେ ଚାଲୁ କରିବା ପାଇଁ ଲକ୍ଡାଉନ୍-୩ରେ ଘୋଷଣା କରିଛନ୍ତି। ଆଶା କରାଯାଉଛି ମେ’ ୧୭ ତାରିଖରେ ଲକ୍ଡାଉନ୍ ସୀମା ଶେଷ ହେବା ପରେ ବିମାନ ଏବଂ ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ ହେବ। ଏହାକୁ ଆଖିରେ ରଖି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
କରୋନା ସଂକ୍ରମଣ ସମୟରେ କିପରି ସାବଧାନତା ରକ୍ଷା, ସାମାଜିକ ଦୂରତ୍ଵ ରକ୍ଷା କରି ବିମାନ ଯାତଅ୍ରା କରାଯାଇପାରିବ ସେଥିଲାଗି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହ ସର୍ତ୍ତାବଳୀ ପ୍ରସ୍ତୁତ କରାଯାଇଛି। ଏହି ଅନୁସାରେ ଯାତ୍ରୀମାନେ ଛୁଉଁଥିବା ପ୍ରତିଟି ସ୍ଥାନ (ଟଚ୍ପଏଣ୍ଟ) କୁ କିପରି ବିଶୋଧନ କରାଯାଇପାରିବ ସେଥିଲାଗି ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ସାମାଜିକ ଦୂରତ୍ଵ ବା ସୋଶାଲ୍ ଡିଷ୍ଟାନ୍ସିଂର ଗୁରୁତ୍ଵ ବୁଝାଇବା ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା, ହାତ ସଫା କରିବା ବୋର୍ଡିଂ ପାସ୍ ଘରେ ପ୍ରିଣ୍ଟ କରିବା ଏବଂ ଟଚ୍ ପଏଣ୍ଟକୁ ହ୍ରାସ କରିବା ଲାଗି ଯାତ୍ରୀଙ୍କ ନାଁ ଏବଂ ଯାତ୍ରା ବିବରଣୀ କିପରି ସର୍ବାଧିକ ରକ୍ଷା କରାଯାଇପାରିବ ସେଥିଲାଗି ବ୍ୟବସ୍ଥା କରାଯାଇଛି।
ସେହିପରି ଟ୍ରଲି, ୱାଶ୍ରୁମ୍, ପାଣି ଟୃାପ୍, କାଉଣ୍ଟର, ସିକ୍ୟୁରିଟି ସ୍କ୍ରିନଂ ଅଞ୍ଚଳ ସହ ଲିଫ୍ଟ ଏବଂ ଟ୍ରାଭେଲେଟରକୁ ବିଶୋଧନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଗୋଟିଏଥର ଟ୍ରଲି ବ୍ୟବହାର ହେଲାପରେ ତାହାଏକ ବିଶୋଧକ ଟନେଲ୍ ଭିତରକୁ ଯିବ। ସେଠାରୁ ପୁଣିଥରେ ନିର୍ଦ୍ଧାରିତ ସ୍ଥାନକୁ ଆସିବ। ସେହିପରି ଯାତ୍ରା ସମୟରେ ବିମାନରେ ସୋଶାଲ୍ ଡିଷ୍ଟାନ୍ସିଂ ରକ୍ଷା ପାଇଁ ବିମାନ ମଧ୍ୟରେ ସିଟ୍ଗୁଡ଼ିକର ପୁନଃ ବ୍ୟବସ୍ଥା କରାଯିବ।
ସିଆଇଏସ୍ଏଫ ଏବଂ ଇମିଗ୍ରେସନ୍ ଷ୍ଟାଫ୍ମାନେ ବିମାନବନ୍ଦରରେ ଯାତ୍ରୀଙ୍କ ଭିତରେ ଦୂରତ୍ଵ ରକ୍ଷା କରିବେ।
ଏହି ସୁରକ୍ଷା କର୍ମୀ ଓ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଯେମିତି ମାସ୍କ, ଗ୍ଲୋବ୍ ପ୍ରଭୃତି ଯୋଗାଇ ଦିଆଯିବ। ପ୍ରତି ଷ୍ଟାଫ୍ ବିମାନବନ୍ଦରରେ ପ୍ରବେଶ ପୂର୍ବରୁ ଗେଟ୍ ପାଖରେ ପଥମେ ନିଜର ତାପମାତ୍ର ପରୀକ୍ଷା କରାଯାଇବା ବାଧ୍ୟ ହେବେ।