ଘୋଷଣା ଗଲା ଚୁଲିକୁ! କୋଭିଡ୍ ଯୋଦ୍ଧାଙ୍କ ପରିବାର ନିରାଶ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କୋଭିଡ୍-୧୯ ସଂଗ୍ରାମରେ ରାଜ୍ୟ ସରକାରଙ୍କ ସୈନ୍ୟ ସାଜିଥିବା ତୃଣମୂଳସ୍ତରରର ସ୍ଵାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ଏବଂ ପୁଲିସ କର୍ମଚାରୀଙ୍କ ମନୋବଳକୁ ଉତ୍ସାହିତ କରିବା ପାଇଁ ସରକାରୀ ସ୍ତରାରେ ପ୍ରୋତ୍ସାହନ ଘୋଷଣା କରାଯାଇଛି। ଯଦି ଏହି ଲଢ଼େଇରେ କାହାର ପ୍ରାଣ ଯାଏ ତେବେ ସରକାର ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ସାହାୟତା ଘୋଷଣା କରିଥିଲେ। ହେଲେ ବାସ୍ତବରେ ସେ ସହାୟତା ମିଳୁ ନାହିଁ। ଏମିତି କିଛି ଅନୁଭବ କରିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୂଏଲ୍ ଓରାମ୍। ସେଥିଲାଗି ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦୁଃଖ ଭରା ଚିଠି ଲେଖିଛନ୍ତି।
ଏହି ଚିଠିରେ ଶ୍ରୀ ଓରାମ୍ ଲେଖିଛନ୍ତି, ତାଙ୍କ ନିର୍ବାଚନ ମଣ୍ଡଳୀର ବାଲିଶଙ୍କର ବ୍ଲକ୍ ରାଇଡିହି ଗାଁର ଆଶା କର୍ମୀ ନିର୍ମଳା ସୋରେନ୍ଙ୍କ ୨୭ ତାରିଖରେ ପରଲୋକ ହୋଇଛି। କୋଭିଡ୍-୧୯ ନିୟନ୍ତ୍ରଣ କର୍ତ୍ତବ୍ୟରେ ନୟୋଜିତ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କିଞ୍ଜିରକେଲ୍ ସିଏଚ୍ସିରେ କାମ କରୁଥିଲେ। ଏ ବିଷୟରେ ସେ ସାମାଜିକ ଗଣମାଧ୍ୟମ ସହାୟତାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ଧ୍ୟାନ ଆକର୍ଷଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁକୁ ସରକାର ଏଯାଏ ଘୋଷିତ ସହାୟତା ପାଇଁ ଉଚିତ ମନେ କରି ନାହାନ୍ତି। ଫଳରେ ତାଙ୍କ ପରିବାର ଏହି ସାହାୟତାରୁ ବଞ୍ଚିତ ହୋଇଛନ୍ତି।
ଶ୍ରୀ ଓରାମ୍ କହିଛନ୍ତି ନିର୍ମଳା ସୋରେନ୍ଙ୍କ ପରିବାର ସରକାରଙ୍କ ଏହି ସହାୟତା ପାଇବାକୁ ହକ୍ଦାର। ଏଣୁ ତାଙ୍କୁ ଏ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପଅଦାନ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ।