ମଦ ବିକ୍ରି ଆରମ୍ଭ ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକ୍‌ଡାଉନ୍‌ରେ ରହିଛି। ଏଥିପାଇଁ କଟକଣା ଭିତ୍ତିରେ କିଛି ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଆଦେଶ ଦେଇଥିବାବେଳେ ରାଜସ୍ଥାନରେ ମଦ ବିକ୍ରି ପାଇଁ ଦାବି ଉଠିଛି। କଂଗ୍ରେସ ବିଧାୟକଙ୍କ ସମେତ ବିଭିନ୍ନ ଦଳର ନେତାମାନେ ମଦ ବିକ୍ରି ଆରମ୍ଭ କରିବାକୁ ଦାବି କରିଛନ୍ତି। ଏପରିକି କେହି କେହି ତଣ୍ଟିରେ ହିଁ ଭାଇରସକୁ ମାରିବା କଥା କହୁଥିବାବେଳେ ଆଉ କେତେକ ଯୁଦ୍ଧ ପୂର୍ବରୁ ମଦ୍ୟପାନ କରିବାକୁ ପଡ଼େ ବୋଲି କହୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ରାଜସ୍ଥାନ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ସାଙ୍ଗୋଦର କଂଗ୍ରେସ ବିଧାୟକ ଭାରତ ସିଂହ, ବିଜେପିର ପୂର୍ବତନ ମନ୍ତ୍ରୀ ଭବାନୀ ସିଂହ ରାଜାୱତ ଏବଂ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱନ୍ତ ପୁନିଆ ପ୍ରମୁଖ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଶୀଘ୍ର ମଦ ବିକ୍ରି ଆରମ୍ଭ କରିବାକୁ ଦାବି କରିଛନ୍ତି। ବିଧାୟକ ଶ୍ରୀ ସିଂ ଲେଖିଛନ୍ତି ଯେ, ଯଦି ଆଲକୋହଲରେ ହାତ ଧୋଇବା ଫଳରେ କରୋନା ମରୁଛି, ତେବେ ମଦ୍ୟପାନ କରିଲେ ଏହି ଭାଇରସକୁ ତଣ୍ଟିରେ ହିଁ ମରିଯିବ। ଏଥିସହ ସରକାର ମଧ୍ୟ ଟିକସ ପାଇବେ। ତେଣୁ ଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି। ସେହିପରି ବିଜେପି ନେତା ଶ୍ରୀ ରାଜାୱତ କହିଛନ୍ତି ଯେ ସତ୍ୟଯୁଗରେ ଦେବତାମାନେ ସୋମରସ ପାନ କରୁଥିଲେ। ତେଣୁ ମଦ୍ୟପାନରୁ ବଞ୍ଚିତ ରଖିବା ଠିକ୍ ନୁହେଁ। ଏପରିକି କରୋନା ବିରୋଧରେ ଲଢ଼େଇ ପାଇଁ ମଦ୍ୟପାନ ଆବଶ୍ୟକ ବୋଲି ସେ ଦାବି ଉଠାଇଛନ୍ତି। କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱନ୍ତ ପୁନିଆ ମଧ୍ୟ ମଦ ବିକ୍ରି ଆରମ୍ଭ ପାଇଁ ସରକାରଙ୍କୁ ପ୍ରଥମେ ଚିଠି ଲେଖିଥିଲେ। ମଦ୍ୟପାନ କରୁଥିବା ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ସରକାର ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେ ଜଣାଇଛନ୍ତି।

ପ୍ରକାଶ ଥାଉ କି ରାଜସ୍ଥାନ ସରକାର ମଦ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ମଦ ଦୋକାନ ଖୋଲିନାହିଁ।

Leave a Reply

Your email address will not be published.