ବିଜୁଳି ସହ ଝଡ଼ବର୍ଷା ଆଶଙ୍କା
ଭୁବନେଶ୍ୱର (ଓଡ଼ିଶା ଟାଇମ୍): ଗୋଟିଏପଟେ ମହାମାରୀ କରୋନା ଆତଙ୍କ ରହିଥିବା ବେଳେ ଅନ୍ୟପଟେ ଚାଷୀଙ୍କୁ ଘାରିଛି ଚାଷ ଚିନ୍ତା। ତାପମାତ୍ରା ଅନୁକୂଳ ରହିଲେ ଯାହାକିଛି ଚାଷ ହୋଇପାରିବ ବୋଲି ଚାଷୀକୁଳ ଆଶା କରିଛନ୍ତି। କାରଣ ସରକାର ଚାଷ ପାଇଁ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି। ତେବେ ପାଣିପାଗ ନେଇ ଅନିଶ୍ଚିତତା ଲାଗି ରହିଛି। ସମ୍ପ୍ରତି କାଳବୈଶାଖୀ ଲାଗି ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ସମ୍ପ୍ରତି ତାପମାତ୍ରା ବଢ଼ିବାରେ ଲାଗିଛି। ସେହିପରି ବିଭିନ୍ନ ସ୍ଥାନରେ ଗତ ୫ ଦିନ ହେଲା ବର୍ଷା ହେଉଛି। ଏହିକ୍ରମରେ ଉତ୍ତର ଉପକୂଳ ଓଡ଼ିଶାରେ ବିଜୁଳି ସହ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏନେଇ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗିର ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ ଜିଲ୍ଲାର ୪ଟି ସ୍ଥାନରେ ପ୍ରବଳ ଝଡ଼ ବର୍ଷାର ସମ୍ଭାବନା ରହିଛି। ଜିଲ୍ଲାର ଧାମନଗର, ତିହିଡ଼ି, ଭଦ୍ରକ ଓ ବାସୁଦେବପୁର ଅଞ୍ଚଳରେ ବର୍ଷା ସମ୍ଭାବନା ରହିଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ।