ସ୍ଥଗିତ ପରୀକ୍ଷା ହେବ ଖୁବ୍‌ଶୀଘ୍ର

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ପାଇଁ ଦେଶରେ ଜାରି ରହିଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୩ ରେ ଶେଷ ହେବାକୁ ଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ମଧ୍ୟ ପରବର୍ତ୍ତୀ ନିଷ୍ପତ୍ତି ନେବେ। ତେବେ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରତି ଉଭୟ ସରକାର ଗୁରୁତ୍ଵ ଦେଇଛନ୍ତି। ଏହିକ୍ରମରେ ଲକଡାଉନ ଶେଷ ହେବା ପରେ ସ୍ଥଗିତ ରହିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ ବୋଲି ବୁଧବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କୁ ଯଥାଶୀଘ୍ର ଦଶମ ଓ ଯୁକ୍ତ ୨ ର ଖାତା ମୂଲ୍ୟାଙ୍କନ ଓ ସ୍ଥଗିତ ରହିଥିବା ପରୀକ୍ଷାଗୁଡିକୁ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ  ଲକ୍‌ଡାଉନ ଉଠିବା ପରେପରେ ଯଥାଶୀଘ୍ର ପରୀକ୍ଷା ପାଇଁ ତାରିଖ ଘୋଷଣା ହେବା ସହ ଖାତା ମୂଲ୍ୟାଙ୍କନ କରାଯାଇ ଫଳ ପ୍ରକାଶ କରାଯିବ। ସାମାଜିକ ଦୂରତା ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରି ଖାତା ମୂଲ୍ୟାଙ୍କନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ କେତେକ ପରୀକ୍ଷା କେନ୍ଦ୍ରକୁ ସରକାରୀ କ୍ଵରେଣ୍ଟାଇନ ସେଣ୍ଟରରେ ପରିଣତ କରାଯାଇଥିବାରୁ ପରୀକ୍ଷା ପରିଚାଳନା ପାଇଁ ନୂତନ କେନ୍ଦ୍ର ଚିହ୍ନଟ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ କୁହାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.