ଭୁଶୁଡ଼ିଲା ବ୍ରିଜ୍, ୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ମହାମାରୀ କରୋନା ଚାରିଆଡ଼େ ଆତଙ୍କ ଖେଳାଇ ଦେଇଛି। ଏଭଳି ସ୍ଥିତିରେ ପୁଣି ଦୁର୍ଘଟଣାରେ ପ୍ରାଣ ହରାଇବା ଘଟଣା ସାଧାରଣରେ ଗଭୀର ଦୁଃଖ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତମିଆ ମୁଦଲସର ଅଞ୍ଚଳରେ ନିର୍ମାଣାଧୀନ ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଏବେ ମଧ୍ୟ ରାଜଧାନୀର ବମିଖାଲ ବ୍ରିଜ୍ ଭୁଶୁଡ଼ିବା ଘଟଣା ଲୋକଙ୍କ ମନରୁ ଯାଇନି। ସେହିପରି ରାଜ୍ୟର ଅନ୍ୟ କେତେକ ସ୍ଥାନରେ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ସାଧାରଣରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ମହାମାରୀ କରୋନା ପାଇଁ ଲୋକେ ଭୟରେ ରହିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ ଭୁଶୁଡ଼ିବା ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ଏହି ବ୍ରିଜ୍ ଭୁଶୁଡ଼ିବା ଫଳରେ ଦୁଇଜଣଙ୍କ ପ୍ରାଣ ଚାଲିଯାଇଛି। ଦବି ଯାଇଥିବା ଗୋଟିଏ ପିଲର୍ ମରାମତି ଚାଲିଥିବାବେଳେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ପୂର୍ବରୁ ସମ୍ପୃକ୍ତ ବ୍ରିଜ୍ କାମ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।