ମୁମ୍ବାଇ ପରେ ୟୁପି: ଦୁଇ ସାଧୁଙ୍କୁ ହତ୍ୟା

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ମହାରାଷ୍ଟ୍ରର ପାଲଘରରେ ୨ ସାଧୁଙ୍କୁ ପିଟି ପିଟି ହତ୍ୟା ଘଟଣା ଦେଶବ୍ୟାପୀ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଅନୁରୂପ ହତ୍ୟା ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ଶୋଇଥିବା ଅବସ୍ଥାରେ ଦୁଇ ସାଧୁଙ୍କୁ ହତ୍ୟା କରାଯିବା ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଓ ପୁଲିସ୍‌ ତନାଘନା ଆରମ୍ଭ କରିଦେଇଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ସନ୍ଦେହରେ ଗିରଫ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଉତ୍ତର ପ୍ରଦେଶ ବୁଲନ୍ଦଶହର-କୋତବାଲୀ ଅନ୍ତର୍ଗତ କଗୋନ ଗାଁରେ ୨ ସାଧୁଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଛି। ଗାଁରେ ଥିବା ଏକ ଶିବମନ୍ଦିରରେ ରହୁଥିବା ୫୫ ବର୍ଷୀୟ ସାଧୁ ଜଗନ ଦାସ ଓ ୩୫ ବର୍ଷୀୟ ସାଧୁ ସେବାଦାସଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଲୋକେ ମନ୍ଦିର ପହଞ୍ଚି ସାଧୁଙ୍କ ରକ୍ତ ବିଜଡ଼ିତ ଶବ ପଡ଼ିଥିବା ଦେଖିଥିଲେ। ଏହି ଘଟଣାରେ ଗାଁର ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଲୋକେ ମାଡ଼ ମାରିଥିଲେ। ପୁଲିସ୍‌ର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ କିଛିଦିନ ପୂର୍ବରୁ ଅଭିଯୁକ୍ତ ଜଣକ ସାଧୁଙ୍କ ଏକ ଜିନିଷ ଚୋରି କରିନେଇଥିଲା। ଏନେଇ ସାଧୁ ୨ଜଣ ତାକୁ ତାଗିଦ୍‌ କରିଥିଲେ। ତେବେ ଉକ୍ତ ରାଗରେ ଅଭିଯୁକ୍ତ ଜଣକ ସାଧୁଙ୍କୁ ହତ୍ୟା କରିଛି ବୋଲି କୁହାଯାଉଛି। କିନ୍ତୁ ଘଟଣାର ପ୍ରକୃତ ସତ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ଏସ୍ଏସ୍‌ପି ସନ୍ତୋଷ କୁମାର ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published.