ସୁପ୍ରିମକୋର୍ଟକୁ ବ୍ୟାପିଲା କରୋନା ଆତଙ୍କ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ଭାଇରସ୍‌ ଦେଶବ୍ୟାପି ବଢ଼ିବାରେ ଲାଗିଛି। ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିଲେ ମଧ୍ୟ ସଂକ୍ରମଣ ବଢ଼ିଚାଲିଛି। ଏହି ଭଳି ସମୟରେ ଦେଶର ସର୍ବୋଚ୍ଚ ଅଦାଲତର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପରୀକ୍ଷା ଚାଲିଛି।

ସୂଚନାନୁସାରେ ସୁପ୍ରମିକୋର୍ଟରେ ନ୍ୟାୟିକ ଅନୁଭବ ପାଇଁ କାର୍ଯ୍ୟରତ ଜଣେ କର୍ମଚାରୀ ଗତ ୧୬ ତାରିଖ ଡ୍ୟୁଟିକୁ ଫେରିଥିଲେ। ଏହି ସମୟରେ ସେ କୋର୍ଟରେ ଦୁଇଜଣ ରେଜିଷ୍ଟ୍ରାରଙ୍କ ସମ୍ପର୍କରେ ଆସିଥିଲେ। ତେଣୁ ସମ୍ପୃକ୍ତ ଦୁଇଜଣଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। କୋର୍ଟର କର୍ମଚାରୀଙ୍କ କହିବା ଅନୁସାରେ ୧୬ରେ କୋର୍ଟ ଆସିବା ପରେ ଦୁଇଦିନ ପର୍ଯ୍ୟନ୍ତ ତାଙ୍କୁ ଥଣ୍ଡା ହୋଇଥିଲା। ଏହାପରେ ତାଙ୍କୁ କୋଭିଡ-୧୯ଯାଞ୍ଚ କରାଯାଇଥିଲା ଏବଂ ସୋମବାର ରିପୋର୍ଟରେ ପଜିଟିଭ୍‌ ଆସିଥିଲା।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ କୌଣସି କର୍ମଚାରୀଙ୍କୁ କରୋନା ଭାଇରସରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା। ସୁପ୍ରିମକୋର୍ଟ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ଠାରୁ ଅଦାଲତ କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସି ଜରିଆରେ ଶୁଣାଣି ଚାଲିଛି। ଏହି ସମୟରେ କେବଳ ଅତି ଆବଶ୍ୟକ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *