#କରୋନାରୁ ମୁକୁଳିଲେ, ଆଇନ୍ରେ ଛନ୍ଦିହେଲେ
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ମହାମାରୀ କରୋନା ଭାଇରସ୍ କବଳରୁ ମୁକୁଳିଲେ। କିନ୍ତୁ ଆଇନ୍ର ଛାଟ୍ରୁ ସେ ବର୍ତ୍ତି ପାରିନାହାନ୍ତି। ଏଭଳି ସମସ୍ୟାରେ ଛନ୍ଦି ହୋଇଛନ୍ତି ଗାୟିକା କନିକା କପୁର। ସରୋଜିନୀ ନଗର ପୁଲିସ୍ ମହାନଗରସ୍ଥିତ କନିକାଙ୍କ ଘରକୁ ପହଞ୍ଚି ତାଙ୍କୁ ନୋଟିସ୍ ଦେଇଛି ଏବଂ ଆସନ୍ତା ୩୦ତାରିଖ ପୂର୍ବାହ୍ଣ ୧୧ଟାରେ ଥାନାରେ ପହଞ୍ଚିବାକୁ କୁହାଯାଇଛି। ଉକ୍ତଦିନ କନିକାଙ୍କ ବୟାନ ଦାୟର କରାଯିବ।
ସୂଚନା ଅନୁସାରେ କନିକାଙ୍କ ବିରୋଧରେ ଅନ୍ୟଙ୍କ ଜୀବନ ବିପଦରେ ପକାଇବା ନେଇ ଅଭିଯୋଗ ହେବା ସହ ଆଇପିସି ଧାରା ୧୮୮, ୨୬୯ ଏବଂ ୨୭୦ ଅନୁସାରେ ମାମଲା ରୁଜୁ କରାଯାଇଛି। ବିଦେଶରୁ ଫେରି ପାର୍ଟିରେ ଯୋଗ ଦେବା ଓ ପରେ କନିକା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ କନିକାଙ୍କ କାର୍ଯ୍ୟକଳାପକୁ ନେଇ ନିନ୍ଦା ମଧ୍ୟ କରାଯାଇଥିଲା। ତେବେ କରୋନାକୁ ହରାଇବା ପରେ କନିକା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ତାଙ୍କ ବିଷୟରେ ଜାଣିଶୁଣନି ଅନେକ ମନଗଢ଼ା କଥା ଚର୍ଚ୍ଚା ହେଉଥିବା ସେ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଏଥିସହ ସେ ତାଙ୍କ ପରିବାର ଲୋକ, ବନ୍ଧୁ ଏବଂ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଥିଲେ। ପରିବାର ସହ ଖୁସିରେ ସମୟ ବିତାଉଛନ୍ତି ବୋଲି କହିବା ସହ ସେଭଳି ଫଟୋ ମଧ୍ୟ ସେୟାର୍ କରିଥିଲେ। ସମ୍ପ୍ରତି ଲକ୍ଷ୍ନୌରେ ବାପା-ମାଆଙ୍କ ସହ ସମୟ ବିତାଉଥିବା କନିକା କହିଛନ୍ତି ଯେ ଲଣ୍ଡନ, ମୁମ୍ବାଇ କିମ୍ବା ଲକ୍ଷ୍ନୌରେ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ କେହି କରୋନା ଭାଇରସ୍ ଆକ୍ରାନ୍ତ ହୋଇନଥିଲେ।
ଅନ୍ୟପକ୍ଷରେ କନିକା କରୋନା ରୋଗୀଙ୍କ ଉପଚାର ପାଇଁ ନିଜ ପ୍ଲାଜମା ଦେବାକୁ ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଏସଜିପିଜିଆଇ ସହ ଯୋଗାଯୋଗ କରିଥିବା ଜଣାଇଛନ୍ତି।