ରାଜ୍ୟ ବାହାରେ ଫଶିଛନ୍ତି ଲକ୍ଷାଧିକ କେନ୍ଦ୍ରାପଡ଼ିଆ: ଫେରିବା ପରେ ରହିବା ନେଇ ପ୍ରଶ୍ନ

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା) :ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା କେନ୍ଦ୍ରାପଡ଼ାର ଲକ୍ଷାଧିକ ଲୋକେ ଏବେ ଘରମୁହାଁ ହୋଇଛନ୍ତି । ହେଲେ ଲକଡାଉନ ଯୋଗୁ କେହି ଘରକୁ ଫେରିପାରୁ ନାହାଁନ୍ତି । ଗୋଟିଏ ପଟେ କାମ ଧନ୍ଦାର ଅଭାବ ଆଉ ଅନ୍ୟପଟେ ନିଜ ଘରକୁ ନ ଫେରିବା ନେଇଥିବା ପଅତିବନ୍ଧକ ଏବେ ସେମାନଙ୍କୁ ହରଡ଼ଘଣାରେ ପକାଇଛି। ସେମାନେ ଖାଇବା ପିଇବା ଓ ରହିବାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ତାଙ୍କୁ ନିଜ ରାଜ୍ୟକୁ ବା ଘରକୁ ଫେରାଇ ନେବାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଆକକୁଳ ନିବେଦନ କରିଛନ୍ତି ।  ସେମାନଙ୍କ ଏହି ଦୁର୍ଦିନରେ ସହାୟକ ହେବା ଲାଗି  ତାଙ୍କ ପରିବାରର ଆତ୍ମୀୟ ସ୍ଵଜନମାନେ ତା’ ଠାରୁ ଅଧିକ ବ୍ୟାକୁଳ ହେଉଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷାଧିକ ଲୋକ ଦେଶର ବିଭିନ୍ନ ରାଜ୍ୟରେ ଏବେ ନିର୍ଯ୍ୟାତିତ ହେଉଥିବା ଖବର ମିଳୁଛି । ଆସନ୍ତା ମେ ମାସ ୩ ତାରିଖରେ ଲକଡାଉନ ଅବଧି ଶେଷ ହେବା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି ଓ ଘରକୁ ଫେରିବାକୁ ଗୋଡ଼ଟେକି ବସିଛନ୍ତି । ଅନ୍ୟ ରାଜ୍ୟରେ ରହୁଥିବା ଯେଉଁ ଓଡ଼ିଆମାନେ ନିଜ ଘରକୁ ଫେରିବାକୁ ଚାହୁଛନ୍ତି ସେସମାନେ ପଞ୍ଜିକରଣ କକରିବାକୁ ସରକାର ବ୍ୟବସ୍ଥା କରିଛନ୍ତି । ପଞ୍ଜିକରଣ କରିଥିବା ଲୋକଙ୍କୁ ରାଜ୍ୟ ସରକାର ପର୍ଯ୍ୟୟକ୍ରମେ ରାଜ୍ୟକୁ ଫେରାଇଆଣିବା ପରେ ତାଙ୍କୁ ୧୪ ଦିନ ପାଇଁ ଏକାନ୍ତବାସରେ ରଖାଯିବ ଓ ଏହି ୧୪ ଦିନ ମଧ୍ୟରେ ତାଙ୍କ ରକ୍ତ ନମୂନା ଏବଂ ସ୍ୱାବ ପରୀକ୍ଷା କରାଯାଇ ସେମାନେ କରୋନା ସଂକ୍ରମୀତ କି ନୁହଁନ୍ତି ଜଣାପଡ଼ିବା ପରେ ତାଙ୍କୁ ତାଙ୍କ ଘରକୁ ପଠାଯିବାର ବ୍ୟବସ୍ତା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ପରୀକ୍ଷାରେ ଯେଉଁମାନେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବ ତାଙ୍କୁ ଚିକିତ୍ସା ପାଇଁ କୋଭିଡ଼-୧୯ ହସପିଟାଲକକୁ ପଠାଯିବ ବୋଲି ମଧ୍ୟ ସରକାର କହିଛନ୍ତି । ତେବେ କେତେ ପ୍ରବାସୀ ଘରକୁ ଫେରିବାକୁ ଚାହୁଛନ୍ତି ତାହା ପଞ୍ଜିକରଣ ପରେ ଜଣାପଡ଼ିବ । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାର କେତେ ସଂଖ୍ୟକ ଲୋକ ଅନ୍ୟରାଜ୍ୟରେ ରହୁଛନ୍ତି ସେସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀମାନେ ଘର ଘର ବୁଲି ତନଖି କରିଥିଲେ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ୯୪୦୮୦ ଜଣ ଲୋକ ଏବେ ଅନ୍ୟ ରାଜ୍ୟରେ ଏହି ତନଖି ରିପୋର୍ଟରୁ ଜଣାପଡ଼ିଛି ।

ଜିଲ୍ଲାର ଆଳି ବ୍ଲକରୁ ୬୯୮୧, ଡେରାବିଶ ବ୍ଲକରୁ ୩୧୯୮, ଗରଦପୁର ବ୍ଲକରୁ ୧୮୭୧, କେନ୍ଦ୍ରାପଡ଼ା ବ୍ଲକରୁ ୬୬୬୮, ମହାକଳପଡ଼ା ବ୍ଲକରୁ ୧୩୬୪୫, ମାର୍ଶାଘାଇ ବ୍ଲକରୁ ୧୯୪୮୫, ପଟାମୁଣ୍ଡାଇ ବ୍ଲକରୁ ୨୧୭୨୪, ରାଜନଗର ବ୍ଲକରୁ ୧୨୦୮୨, ରାଜକନିକା ବ୍ଲକରୁ ୫୫୮୩, କେନ୍ଦ୍ରାପଡ଼ା ପୌରାଂଚଳରୁ ୧୧୨ ଓ ପଟାମୁଣ୍ଡାଇ ପୌରାଂଚଳରୁ ୨୭୩୧ ଜଣ ଲୋକ ଏବେ ସୁଦ୍ଧା ଅନ୍ୟ ରାଜ୍ୟରେ ରହୁଥିବା ରିପୋର୍ଟରୁ ଜଣାପଡ଼ିଛି । ଏହିପରି ଭାବେ ସମଗ୍ର ଜିଲ୍ଲାରୁ ମୋଟ ୯୪୦୮୦ ଜଣ ଲୋକ ଅନ୍ୟ ରାଜ୍ୟରେ ଫସି ରହିଥିବା ଜଣାପଡ଼ିଛି । ଏହାବାଦ କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଲୋକ ବିଦେଶରେ ମଧ୍ୟ ରହୁଛନ୍ତି । ଏଥିସହ ଜିଲ୍ଲା ବାହାରେ ବି ରୋଜଗାର ପାଇଁ ଅନେକ କେନ୍ଦ୍ରାପଡ଼ିଆ ରହୁଛନ୍ତି । ଦେଶର ଅନ୍ୟ ରାଜ୍ୟ ସମେତ ବିଦେଶରେ ଓ ଜିଲ୍ଲା ବାହାରେ ରହୁଥିବା କେନ୍ଦ୍ରାପଡ଼ା ଲୋକଙ୍କୁ ମିଶାଇଲେ ୧ ଲକ୍ଷରୁ ଅଧିକ ଲୋକେ ଏବେ ବାହାରେ ରହୁଛନ୍ତି । ଏହି ପ୍ରବାସୀ କେନ୍ଦ୍ରାପଡ଼ିଆମମାନେ ମୁଖ୍ୟତଃ ବିଦେଶ ବା ଦେଶର ବିଭିନ୍ନ ସହରରେ ଥିବା କମ୍ପାନୀମାନଙ୍କରେ ମୁଖ୍ୟତଃ ଶ୍ରମିକ ଭାବେ କାମ କରି ଜୀବୀକା ନିର୍ବାହ କରନ୍ତି । କରୋନା ଲକଡାଉନ ଯୋଗୁ ଦେଶ ବିଧେଶର କମ୍ପାନୀ ଗୁଡ଼ିକ ଏବେ ବନ୍ଦ ହୋଇଯାଇଥିବାରୁ କେନ୍ଦ୍ରାପଡ଼ିଆ ଶ୍ରମିକମାନେ ରୋଜଗାର ହରାଇ ବସି ରହିବା ସହିତ ସେଠାକାର ସରକାରଙ୍କ ହାତଟେକାକୁ ନିର୍ଭର କରି ନିଜ ଜୀବନ ବଂଚାଉଛନ୍ତି । ତାଙ୍କ ମଧ୍ୟରୁ ଅନେକ ଖାଇବା ପଇବାକୁ ନପାଇ ନିର୍ଯ୍ୟାତିତ ମଧ୍ୟ ହେଉଛନ୍ତି । ତେଣୁ ପ୍ରାୟ ସମସ୍ତ ପ୍ରବାସୀ କେନ୍ଦ୍ରାଫନିଆ ଏବେ ଘରମୁହାଁ ହୋଇଛନ୍ତି । ଅପରପକ୍ଷରେ ଆସନ୍ତା ମେ ମାସ ୩ ତାରିଖ ପରେ ଲକ୍ଷାଧିକ ଲୋକ ଜିଲ୍ଲାକୁ ଫେରିବା ପରେ ତାଙ୍କ ପାଇଁ ଜିଲ୍ଲାରେ ସଙ୍ଗରୋଧ ଗୃହର ଅଭାବ ରହିଛି । ଏବେସୁଦ୍ଧା ଜିଲ୍ଲରେ ମାତ୍ର ୧୬୧୯୯ଟି ଆଇସୋଲେସନ ବେଡ଼ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଏବେ ସୁଦ୍ଧା ୨୪୯ଟି ଗ୍ରାମ ପଂଚାୟତରେ ମୋଟ ୧୪୬୦୦ ସଙ୍ଗରୋଧ ଶଯ୍ୟା ପ୍ରସ୍ତୁତ କରାଯିବା ସହ କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ପୌରାଂଚଳରେ ୭୦୯ଟି ଶଯ୍ୟା, କେନ୍ଦ୍ରାପଡ଼ା ସ୍ୱୟଂଶାସୀତ ମହାବିଦ୍ୟାଳୟରେ ୩୦୦ ଶଯ୍ୟା, କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟରେ ୧୬୦ ଶଯ୍ୟା, ଡେରାବିଶ ପଲିଟେକନିକରେ ୧୫୦ ଶଯ୍ୟା ଓ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ଟି ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଏହାବାଦ ଛତା ଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼-୧୯ ଡାକ୍ତରଖାନା କରାଯାଇଛି । ଏହି ପରିସ୍ଥିତିରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଲକ୍ଷାଧିକ ଲୋକ ଦେଶ ଓ ବିଦେଶରୁ ଫେରିବା ପରେ ତାଙ୍କୁ କେଉଁଠାରେ ରଖାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜିଲ୍ଳାରେ ଥିବା ସମସ୍ତ ସ୍କୁଲ, କଲେଜ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ସଙ୍ଗରୋଧ ଗୃହ କରାଯାଇ ଘରବାହୁଡ଼ାଙ୍କୁ ରଖାଯିବାକୁ ବ୍ୟବସ୍ଥା କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକୁ ପଟାମୁଣ୍ଡାଇ ବ୍ଲକରେ ପରିଚାଳନା କରାଯିବ ଓ ପଟାମୁଣ୍ଡାଇ ବ୍ଲକ ବିଡିଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ସୁପରିଚାଳନାର ଦାୟିତ୍ୱ ଦିଆଯାଇଛି । ପଟାମୁଣ୍ଡାଇ ବ୍ଲକ ବିଡିଓ ଭରତ ଚନ୍ଦ୍ର ପରିଡ଼ା ବିଭିନ୍ନ ପଂଚାୟତର ସରପଂଚ, ସମିତୀ ସଭ୍ୟଙ୍କ ସହ ଅନ୍ୟଲୋକଙ୍କୁ ପଟାମୁଣ୍ଡାଇ ବ୍ଲକକୁ ଡାକି ଏ ସମ୍ପର୍କରେ ଆଲୋଚନା କରିଥିବା କହିଛନ୍ତି । ତେବେ ପଞ୍ଜିକରଣ ପରେ ଜିଲ୍ଲାକୁ କେତେ ସଂଖ୍ୟକ ପ୍ରବାସୀ ଫେରିବେ ତାହା ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *