ଫେରିବେ ଓଡ଼ିଆ ଶ୍ରମିକ: ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ଗୁଜରାଟ ଓ ମହାରାଷ୍ଟ୍ରରେ କାମ କରୁଥିବା ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ଏନେଇ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ।
ସୂଚନା ଅନୁସାରେ ଗୁଜରାଟ ଓ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆଙ୍କୁ ଲକଡାଉନ୍ କଟକଣା ଉଠିବା ପରେ ସୁରକ୍ଷିତ ଭାବେ ଓଡ଼ିଶା ଅଣାଯିବାନେଇ ଆଲୋଚନା ହୋଇଛି। ଆଲୋଚନାରେ ଗୃହୀତ ପ୍ରସ୍ତାବ ଅନୁସାରେ ଉଭୟ ପକ୍ଷର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ।
ଏହାସହିତ ଅନ୍ୟ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ। ତେବେ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ସେହିପରି କ୍ଵାରେଣ୍ଟାଇନ୍ରେ ରହିବା ସମୟରେ ସମସ୍ତ ସୁବିଧା ପ୍ରଦାନ କରାଯିବ। ଏପରିକି ବସ୍କୁ ରୋଡ୍ ଟାକ୍ସରୁ ମୁକ୍ତ କରିବା ପାଇଁ ଅନ୍ୟ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।