#OdishaFightsWithCorona: ୧୦ରୁ ୫ ଜିଲ୍ଲାକୁ ମିଳିଲା ଆଶ୍ଵସ୍ତି
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ଆତଙ୍କ ଦୂର ହୋଇନି। ସେଥିପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ସେହିପରି ରାଜ୍ୟ ସରକାର ମଧ୍ୟ କଡ଼ା କଟକଣା ଜାରି କରିବା ସହ ଆବଶ୍ୟକ ସମସ୍ତ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ ରାଜ୍ୟ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ କରୋନା ଆତଙ୍କ ଦେଖାଇଥିବା ମୋଟ ୧୦ ଜିଲ୍ଲାରୁ ୫ଟି ଜିଲ୍ଲାରେ କେହି ଆକ୍ଟିଭ୍ କେସ୍ ବା କରୋନା ପଜିଟିଭ୍ ମାମଲା ଆଉ ନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ କଳାହାଣ୍ଡି, ସୁନ୍ଦରଗଡ଼, କଟକ, ପୁରୀ ଓ ଢେଙ୍କାନାଳରେ କରୋନା ସଂକ୍ରମିତ ମାମଲା ଆଉ ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ଖୋର୍ଦ୍ଧା, ବାଲେଶ୍ଵର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ୫ଟି ଜିଲ୍ଲାରେ ରହିଥିବା କରୋନା ସଂକ୍ରମିତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଖୁବ୍ଶୀଘ୍ର ସେମାନେ ଆରୋଗ୍ୟ ଲାଭ କରିବାର ଆଶା କରାଯାଉଛି ବୋଲି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟର ବଳକା ୨୦ଟି ଜିଲ୍ଲାରେ କରୋନା ସମ୍ପର୍କିତ ମାମଲା ଦେଖାଦେଇନି। ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ଵସ୍ତିକର ବିଷୟ। କିନ୍ତୁ ସାରା ରାଜ୍ୟରେ ଆବଶ୍ୟକ ଅନୁସାରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ଏବଂ କଟକଣା ଲାଗୁ ରହିଛି। ସେହିପରି ରାଜ୍ୟ ସରକାରଙ୍କୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସହଯୋଗ କରାଯାଉଛି।