ଶ୍ରମିକଙ୍କ ଅନ୍ତଃରାଜ୍ୟ ଯାତାୟାତକୁ ମିଳିଲା ଅନୁମତି
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ମହାମାରୀ କରୋନା ଆତଙ୍କ ଥମିନାହିଁ। ଏଥିପାଇଁ ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ଡାଉନରେ ରହିଛି। ଫଳରେ ଶ୍ରମିକମାନେ ନାହିଁନଥିବା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନଙ୍କ ଅନ୍ତଃରାଜ୍ୟ ଯାତାୟାତ ପାଇଁ ଅନୁମତି ଦେଇଛନ୍ତି ସରକାର।
ସୂଚନା ଅନୁସାରେ ରାଜ୍ୟରେ ଜିଲ୍ଲା-ଜିଲ୍ଲା ଭିତରେ ଶ୍ରମିକଙ୍କ ଗମନାଗମନ ପାଇଁ ଅନୁମତି ମିଳିଛି। ସାମାଜିକ ଦୂରତା ବଜାୟ ରଖି ଶ୍ରମିକଙ୍କୁ ନେବା ଆଣିବା କରିପାରିବେ ଶିଳ୍ପ ସଂସ୍ଥା। ତେବେ ଏଥିପାଇଁ ଜିଲ୍ଲାପାଳଙ୍କ ନିକଟରୁ ଅନୁମତି ନେବାକୁ ପଡ଼ିବ। ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇପାରିବ। ଏହାସହ ଶ୍ରମିକଙ୍କୁ ବସ୍ରେ ନେବା ପାଇଁ ମଧ୍ୟ ଜିଲ୍ଲାପାଳ ଅନୁମତି ଦେଇପାରିବେ।
ପ୍ରକାଶ ଥାଉକି ରାଜ୍ୟର ୨୬୧୦ଟି କ୍ୟାମ୍ପରେ ପାଖାପାଖି ୮୬ହଜାର ଶ୍ରମିକ ରହିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୧୬ହଜାର ଶ୍ରମିକ ଓଡ଼ିଶାର ବୋଲି ଜଣାପଡ଼ିଛି। ସମସ୍ତ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯିବା ପାଇଁ ବିଚାର କରାଯାଇଛି। କିନ୍ତୁ ମହାମାରୀ ପାଇଁ ସରକାର ଜାରି କରିଥିବା ଗାଇଡ୍ ଲାଇନ୍କୁ ନିହାତି ପାଳନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି।