ମଦ ଦୋକାନ, ସାଲୋନ୍ କି ବିୟୁଟି ପାର୍ଲର ଖୋଲିବ ନାହିଁ; ରାଜ୍ୟରେ କ’ଣ ଖୋଲିବ ନଜର ପକାନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଲକ୍ଡାଉନ୍ ନିୟମରେ କୋହଳ ଆଣି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦୋକାନ ବଜାର ଖୋଲିବା ସମ୍ପର୍କରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ବାଦ୍ ପଡ଼ିଛି ମଦ ଦୋକାନ, ସାଲୋନ୍ ଓ ବିୟୁଟି ପାର୍ଲର। କେବଳ ଆବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଖୁଚୁରା ଦୋକାନ ଏହି ସମୟରେ ଖୋଲା ରହିବ। ଏକ ସ୍ପଷ୍ଟୀକରଣରେ ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି କେବଳ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବା ପ୍ରତି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶ ପ୍ରଯୁଜ୍ୟ।
ସେହୖିପରି ରାଜ୍ୟରେ କେଉଁ ଦୋକାନ ଖୋଲାଯିବ ସେନେଇ ସରକାର ମଧ୍ୟ କେନ୍ଦ୍ର ଗୃହମନ୍ତ୍ରଣାଳୟ ଆଦେଶ ଅନୂସାରେ ଏକ କାର୍ଯ୍ୟକାରୀ ଆଦେଶ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ନୂଆ ବିଜ୍ଞପ୍ତି ଅନୁସାରେ ଆଜିଠାରୁ ରାଜ୍ୟରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି। କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି ରାଜ୍ୟ ସରକାର । ବିଜ୍ଞପ୍ତି ମୁତାବକ ଦୋକାନରେ ଅଧା କର୍ମଚାରୀ କାମ କରିପାରିବେ | ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ସପିଂ ମଲ୍ କିମ୍ବା ସପିଂ କମ୍ପେ୍ଲକ୍ସ ଖୋଲି ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
କଟକଣାରେ ଏହି କୋହଳ ହଟସ୍ପଟ କିମ୍ବା କଂଟେନମେଂଟ ଜୋନ୍ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର। ତେବେ କେଉଁ ଦୋକାନ ଖୋଲିବ ଜିଲ୍ଲାପାଳ ଓ କମିଶନର ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ତାଲାବନ୍ଦ ଯୋଗୁଁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ ହୋଇଛି । ପୂର୍ବରୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ପନିପରିବା, ଫଳ, ଔଷଧ ଓ ରାସନ ଦୋକାନ ଖୋଲା ରଖିବା ପାଇଁ ଅନୁମତି ଦିଆଯାଇଥିଲା ।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଏହିସବୁ ଦୋକାନ ଖେଶଲା ରହିବ
- ସପ୍ ଆଣ୍ଡ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ
- ପୌରପାଳିକା ଅଂଚଳ ବାହାରେ ଥିବା ରେସିଡେନ୍ସିଆଲ କଂପ୍ଲେକ୍ସ ଓ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ
- ରେସିଡେନସିଆଲ ଅଞ୍ଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ
- ଗ୍ରାମାଂଚଳରେ ସବୁ ପ୍ରକାର ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି
- ସହରାଂଚଳରେ କେବଳ ଗୋଟିକିଆ ଦୋକାନ ଖୋଲାଯାଇ ପାରିବ