କରୋନା ଟେଷ୍ଟିଂ: ରାଜ୍ୟର ଦାବିକୁ ରଖିବ କି କେନ୍ଦ୍ର?

ଭୁବନେଶ୍ଵର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଆବଶ୍ୟକ ଆଲୋଚନା ହେଉଛି। ଉଭୟ ମିଳିତ ଭାବେ ଲଢ଼େଇ ଜାରି ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଏକ ସ୍ଵତନ୍ତ୍ର ଦାବି ଉପସ୍ଥାପନା କରିଛନ୍ତି। ନମୁନା ପରୀକ୍ଷା ପାଇଁ ସିବିନେଟ୍ ଓ ଟ୍ରୁ-ନେଟ୍ ପଦ୍ଧତିକୁ ଅନୁମତି ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଜଣାଇଛନ୍ତି ରାଜ୍ୟ ପ୍ରତିପକ୍ଷ ମନ୍ତ୍ରୀ ନବକିଶୋର ଦାସ। ଏପରିକି ଏ ସମ୍ପର୍କିତ ଗାଇଡଲାଇନ୍‌କୁ ଆଇସିଏମ୍ଆର୍ କୋହଳ କରିବା ପାଇଁ ଶ୍ରୀ ଦାସ ଦାବି ଉପସ୍ଥାପନ କରିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ଦାବି ଜଣାଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜ୍ୟରେ ଟିବି ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ଉପରୋକ୍ତ ପଦ୍ଧତି ବିଶେଷ ସହାୟକ ହେଉଛି। ତେଣୁ ଅଳ୍ପ ସମୟରେ ଅଧିକ ପରୀକ୍ଷା ପାଇଁ ଏହା ବିଶେଷ ସହାୟକ ହୋଇପାରିବ। କିନ୍ତୁ ଆର୍‌ପିଟିସିଆର୍‌ ବା ରିୟଲ ଟାଇମ ପିସିଆର୍‌ ପଦ୍ଧତିରେ ନମୁନା ପରୀକ୍ଷା ବ୍ୟୟସାପେକ୍ଷ ଏବଂ ଅଧିକ ପରୀକ୍ଷା କରିବା ସମ୍ଭବ ହୋଇନପାରେ।

ଉଲ୍ଲେଖଯୋଗ୍ୟ ଯେ ରାପିଡ ଟେଷ୍ଟିଂକୁ ଆଇସିଏମ୍‌ଆର୍‌ ଦୁଇଦିନ ପାଇଁ ବାତିଲ କରିଥିବାରୁ ସିବିନେଟ୍ ଓ ଟ୍ରୁ-ନେଟ୍ ପଦ୍ଧତିକୁ ଅନୁମତି ଦେବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *