କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟରେ ଖୋଲିବ କି ଦୋକାନ?
ଭୁବନେଶ୍ଵର(ଓଟି): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏନେଇ ବିଜ୍ଞପ୍ତି ଜାରି ହେବାପରେ ଓଡ଼ିଶାରେ ଦୋକାନ ବଜାର ଖୋଲିବା ନେଇ ଲୋକେ ଆଶାବାସୀ ହୋଇପଡ଼ିଛନ୍ତି। ତେବେ ଏନେଇ ହଟିନାହିଁ ଦ୍ୱନ୍ଦ୍ୱ। ଏଭଳି ସ୍ଥିତିରେ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ ଜରିଆରେ ସାଧାରଣ ଜନତାଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ ଜଣାଇଛନ୍ତି। ରାଜ୍ୟର ସ୍ଥିତିକୁ ବିଚାର କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ ଦେଶବ୍ୟାପୀ ଲକ୍ଡାଉନ୍ କଟକଣା ଜାରି ରହିଛି। ତେବେ ଏହାକୁ ସାମାନ୍ୟ କୋହଳ କରିବା ସହ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କିନ୍ତୁ କରୋନା ହଟସ୍ପଟ୍ ଏବଂ କଣ୍ଟେନ୍ମେଣ୍ଟ୍ ଜୋନ୍ ଅଞ୍ଚଳରେ ଏହି କୋହଳ ନୀତି ଲାଗୁ ହେବନି ବୋଲି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛନ୍ତି। ଏହିକ୍ରମରେ ରାଜ୍ୟର କିଛି ଅଞ୍ଚଳ କେନ୍ଦ୍ର ସରକାରଙ୍କ ହଟସ୍ପଟ୍ ତାଲିକାରେ ରହିଥିବାରୁ କୋହଳ ନିୟମ ଆଶା କରାନଯାଇପାରେ।
ଅନ୍ୟପକ୍ଷରେ ରାଜ୍ୟରେ ଲକ୍ଡାଉନ୍ କଟକଣା କୋହଳ ହେବ କି ନାହିଁ ଏବଂ ସମସ୍ତ ଦୋକାନ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। କିନ୍ତୁ ପୂର୍ବରୁ ଯେଉଁ ସବୁ ଦୋକାନ ଖୋଲା ରଖିବାକୁ ସରକାର ଅନୁମତି ଦେଇଥିଲେ ସେସବୁ ଖୋଲିବାରେ ଅସୁବିଧା ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପୁଲିସ୍ କମିସନର ଶ୍ରୀ ଷଡ଼ଙ୍ଗୀ। ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆସିବା ଯାଏଁ ଦୋକାନ ବନ୍ଦ ରହିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।