କରୋନା କବଳରେ ପୋଷା ବିଲେଇ
ନୂଆଦିଲ୍ଲୀ(ଓଟି): କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ସମ୍ପ୍ରତି ପୋଷା ଜନ୍ତୁଙ୍କ ନିକଟରେ ମଧ୍ୟ ମହାମାରୀ ଭୂତାଣୁ ଦେଖାଦେଇଛି। ଆମେରିକାରର ନ୍ୟୁୟର୍କ ସହରରେ ୨ ଟି ପୋଷା ବିଲେଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ୱାସକ୍ରିୟାରେ କଷ୍ଟ ପାଉଥିବା ଏହି ଦୁଇ ବିଲେଇ ସେମାନଙ୍କୁ ପାଳିଥିବା ପରିବାର କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଆମେରିକାର କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ କରୋନା ବ୍ୟାପିବାର ପ୍ରାଥମିକ ସ୍ତରରେ ହଂକଂରେ ଏକ କୁକୁରକୁ ସଂକ୍ରମିତ ହୋଇଥିବା ଖବର ପ୍ରକାଶ ପାଇଥିଲା। ସେହିପରି ପୂର୍ବରୁ ଆମେରିକାର ଏକ ଚିଡ଼ିଆଖାନାରେ ଗୋଟିଏ ବାଘ କରୋନାରେ ସଂକ୍ରମିତ ହୋଇଥିଲା। ମଣିଷଠାରୁ ବାଘକୁ କରୋନା ବ୍ୟାପିଥିବା ଜଣାପଡ଼ିବା ପରେ ବିଶ୍ଵ ବ୍ୟାପି ଆତଙ୍କ ଦେଖା ଦେଇଥିଲା ଏବଂ ଚିଡ଼ିଆଖାନାଗୁଡ଼ିକୁ ସତର୍କ କରାଯାଇଥିଲା। ତେବେ ପୋଷା ବିଲେଇ କରୋନାରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା ବୋଲି ସୂଚନା ମିଳିଛି।