#coronaEffect: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆ ଦରରେ ମହଙ୍ଗାଭତ୍ତା ମିଳିବ ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସାରା ଭାରତ ଯେଉଁ ସଙ୍କଟରେ ଗତି କରୁଛି ସେଥିରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗାଭତ୍ତା ଏବଂ ପ୍ରାକ୍ତନ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ରିଲିଫ୍ ସରକାରଙ୍କ ପାଇଁ ଅତିରିକ୍ତ ବୋଝ ବୋଲି ବିଚାର କରାଯାଇଛି। ଏହିକ୍ରମରେ ସରକାର ୧ ଜାନୁୟାରୀ ୨୦୨୦ରୁ ଲାଗୁ ହେବାକୁ ଥିବା ନୂଆ ମହଙ୍ଗାଭତ୍ତା ହାରକୁ ଆଉ ଲାଗୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣି ଜୁଲାଇ ୨୦୨୧ ଯାଏ ମହଙ୍ଗାଭତ୍ତାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ପ୍ରଚଳିତ ପ୍ରଥା ଅନୁସାରେ ପ୍ରତି ୬ ମାସକୁ ଥରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍ସନ୍ ଗ୍ରହୀତାଙ୍କ ଲାଗି ମହଙ୍ଗାଭତ୍ତାରେ ବୃଦ୍ଧି କରାଯାଇଥାଏ। ଏହା ମୁଦ୍ରାସ୍ଫୀତିକୁ ଆଖିରେ ରଖି କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମଙ୍ଗଳ ଲାଗି ଉଦ୍ଦିଷ୍ଟ ହୋଇଥାଏ। ଏହିକ୍ରମରେ ମାର୍ଚ ମାସରେ ସରକାର ଜାନୁୟାରୀ ୨୦୨୦ରୁ ଲାଗୁ ହେବା ପାଇଁ ମହଙ୍ଗାଭତ୍ତା ହାରକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଏବେ ତାହା ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି।
କରୋନା ଭାଇରସ୍ ସଂକ୍ରମଣରେ ଦେଶରେ ଯେଉଁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି ତାହାକୁ ପରିଚାଳନା କରିବା ଲାଗି ଏହି ପଦକ୍ଷେପ ନିଆାଯାଇଛି। ବୁଧବାରଦିନ କ୍ୟାବିନେଟ୍ ବୈଠକର ଏହି ନିଷ୍ପତ୍ତିକୁ ଆଜି ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ଜାନୁୟାରୀ ୨୦୨୦ରୁ ଜୁନ୍ ୩୦, ୨୦୨୧ ଯାଏ କୌଣସି ମହଙ୍ଗା ଭତ୍ତାରେ ବୃଦ୍ଧି କରିବେ ନାହିର୍ର୍। ବର୍ତ୍ତମାନ ଜାରିଥିବା ହାରରେ ମହଙ୍ଗାଭତ୍ତା ମିଳିବ। ଏବେ ୧୭ ପ୍ରତିଶତ ହାରରେ ମହଙ୍ଗାଭତ୍ତା ପ୍ରଦାନ କରାଯାଉଛି।
ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ୩୭୫୩୦ କୋଟି ଟଙ୍କା ସଂଚୟ ହେବ। କିନ୍ତୁ ଏହି ନିଷ୍ପତ୍ତି ଦ୍ଵାରା ୪୯ଲକ୍ଷ ୨୬ ହଜାର କାର୍ଯ୍ୟରତ କର୍ମଚାରୀ ଏବଂ ୬୧ଲକ୍ଷ ୧୭ ହଜାର ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କର୍ମଚାରୀ ପ୍ରଭାବିତ ହେବ।