#Coronatesting: ପୁଣି ଚାଲିବ ଆଣ୍ଟିବଡି ଟେଷ୍ଟ, କେବଳ ସର୍ଭିଲାନ୍ସ ପାଇଁ ହେବ ବ୍ୟବହାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଭିନ୍ନ ରାଜ୍ୟରୁ ଅଭିଯୋଗ ପରି ଗୋଟିଏ ଦିନ ବନ୍ଦ ଥିବା ଆଣ୍ଟିବଡି ଭିତ୍ତିକ ଦ୍ରୁତ ପରୀକ୍ଷଣକୁ ପୁଣିଥରେ ଚାଲୁ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମ୍‌ଆର୍‌) ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ସଚିବମାନଙ୍କୁ ଲେଖିଥିବା ଏକ ଚିଠିରେ ପରିଷଦର ଅତିରିକ୍ତ ମହାନିର୍ଦେଶକ ଡା. ଜିଏସ୍‌ ତୋଟେଜା କହିଛନ୍ତି, ଏହି ଆଣ୍ଟିବଡି କିଟ୍‌ କେବଳ ସର୍ଭିଲାନ୍ସ ପାଇଁ ଉଦ୍ଦିଷ୍ଟ। ନିଶ୍ଚିତ ରିପୋର୍ଟ ପାଇଁ ଆର୍‌ଟି ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ।

କରୋନା ମୁତାଣୁର ପ୍ରାଥମକି ସ୍ତରରେ ସଂକ୍ରମଣକୁ ଜାଣିବା ପାଇଁ ରିଭର୍ସ ଟ୍ରାନ୍ସକ୍ରିପ୍‌ସନ୍‌ ପଲିମରେଜ୍‌ ଚେନ୍‌ ( ଆର୍‌ଟି ପିସିଆର) ପରୀକ୍ଷଣ ହେଉଛି ନିର୍ଭ ଯୋଗ୍ୟ ପରୀକ୍ଷଣ। ଏଥିପାଇଁ ସନ୍ଦିଗ୍ଧଙ୍କ ନାଶା ଓ ଗଳାରୁ କଫ ସାମ୍ପଲ୍‌ ନିଆଯାଇଥାଏ। ଯେଉଁ ଦ୍ରୁତ ପରୀକ୍ଷଣ କିଟ୍‌ ବ୍ୟବହାର କରାଯାଉଛି ତାହା କେବଳ ସମ୍ପୃକ୍ତ ବ୍ୟକ୍ତି ନିକଟରେ ଭୁତାଣୁ ସଂସ୍ପର୍ଶରେ ଆସିଛି କି ନାହିଁ ତାହା ଜଣାଇବା ଲାଗି ଉଦ୍ଦିଷ୍ଟ । ଏହା ଜଣେ ରୋଗୀର ଶରୀରରେ ଭୁତାଣୁ ଅଛି କି ନା ତାହା ଜଣାଇ ନଥାଏ। ଏଥିଲାଗି ଆର୍‌ଟିପିସିଆର୍‌ ପରୀକ୍ଷଣ ବାଧ୍ୟତାମୂଳକ ବୋଲି ଆଇସିଏମ୍‌ଆର୍‌ ଦର୍ଶାଇଛନ୍ତି।

ଏଣୁ ଏହି ପରୀକ୍ଷାର ପ୍ରୋଟୋକଲକୁ ମାନି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବମାନଙ୍କୁ ଶ୍ରୀ ତୋଟେଜା ପରାମର୍ଶ ଦେଇଛନ୍ତି। କିଛି ରାଜ୍ୟମାନଙ୍କରୁ ଅଭିଯୋଗ ଆସିବା ପରେ ଆଇସିଏମ୍‌ଆର୍‌ ଗତକାଲି ପରୀକ୍ଷାରେ ରୋକ୍‌ ଲଗାଇଥିଲେ। ଏହିକ୍ରମରେ ଆଇସି,ମ୍‌ଆର୍‌ ଆବଶ୍ୟକ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି ଆଜି ଜଣାଇଛନ୍ତି। ତେବେ ଏହି କିଟ୍‌କୁ ରାଜ୍ୟ ସରକାରଙ୍କ ପ୍ରବଳ ଆଗ୍ରହ ହେତୁ କିଣାଯାଇଛି ଓ ପ୍ରଦାନ କରାଯାଇଛି ବୋଲି କହିବା ସହ ଏହି କିଟ୍‌ର ଫଳାଫଳକୁ ନିଶ୍ଚିତ କରିବା ପାଇଁ ଆର୍‌ଟିପିସିଆର୍‌ ପରୀକ୍ଷା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published.