#OdishaFightsCorona: ଓଡ଼ିଶା ପାଇଁ କରୋନା ଆହ୍ବାନ- ଗାଁରେ ପଶିପାରନ୍ତି ୫ ଲକ୍ଷ ଓଡ଼ିଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସହରାଞ୍ଚଳରେ କରୋନା ସଂକ୍ରମକଣକୁ ଅବରୋଧ କରିବାରେ ସଫଳତା ପାଇଥିବା ଓଡ଼ିଶା ସରକାରଙ୍କ ପାଇଁ ଗ୍ରାମାଞ୍ଚଳ ଏକ ଆହ୍ବାନ ହୋଇ ଠିଆ ହୋଇଛି। ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ଓଡ଼ିଆ ମାନେ ଆସନ୍ତା ଦିନରେ ଫେରିବା ଆଶଙ୍କା ରହିଛି। ଲକ୍‌ଡାଉନ୍‌ ଖୋଲିବା ପରେ ଏମାନଙ୍କ ସଂଖ୍ୟା ସମୁଦ୍ର ଜୁଆର ଭଳି ବଢ଼ିପାରେ। ଆଉ ନଜିଜ ପୁଅ ଝିଅଙ୍କୁ ପାଇଁ ଗାଁ ଭୁଲିଯାଇପାରେ କରୋନା ବିପଦ। ଏଥିଲାଗି ସରକାର କଠୋର ପଦକ୍ଷେପ ନେଇ ଗାଁ ଗୁଡ଼ିକୁ ସୂଚିତ କରିଛନ୍ତିି।

ଆସନ୍ତା ଦିନମାନଙ୍କରେ ଏହି ଶ୍ରମିକ ତଥା ବହିରାଗତ ଓଡ଼ିଆଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଟପିପାରେ ବୋଲି ଆଶଙ୍କା କରାଯାଇଛି। ଯେଉଁପରି ଭାବେ ସହରକୁ ବିଭିନ୍ନ ଦେଶ ବା ରାଜ୍ୟରୁ ଆସୁଥିବା ଲୋକ କରୋନା ଭୁତାଣୁର ବାହକ ହୋଇ ଆସିଥିଲେ ଠିକ୍‌ ସୈହିଭଳି ଗାଁକୁ ଏମାନେ କରୋନା ବାହକ ହୋଇପାରନ୍ତି। ଏଣୁ ଗାଁ ଗାଁରେ ଲୋକେ ନିଜ ଭାବ ପ୍ରବଣତାକୁ କିଛିଦିନ ତ୍ୟାଗ କରି ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ବାବଦରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ ଏକାନ୍ତବାସରେ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଏକ ପ୍ରେସ୍‌ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ପଞ୍ଜିକରଣ ଲାଗି ଯେଉଁପରି ଭାବେ ଏକ ସ୍ଵତନ୍ତ୍ର ପୋର୍ଟାଲ୍‌ ତିଆରି ହୋଇଥିଲା ସେହିପରି ଗାଁକୁ ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ଲାଗି ଏକ ସ୍ଵତନ୍ତ୍ର ପୋର୍ଟାଲ୍‌ ନିର୍ମାଣ ହେବ। ଆସନ୍ତା ୨୪ ତାରିଖରେ ଏହି ପୋଟ;ାଲ୍‌ ଶୁଭାରମ୍ଭ ହେବ। ଏହି ପୋର୍ଟାଲ୍‌ରେ ସମସ୍ତ ବହିରାଗତ ସଦସ୍ୟଙ୍କ ବିବରଣୀ ପ୍ରଦାନ କରିବାକୁ ରାଜ୍ୟ ପ୍ରଶାସନ ଅନୁରୋଧ କରିଛି।

ଏହି ପଦକ୍ଷେପ ଦ୍ଵାରା କିଛିଦିନ ପରେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନା ଲଢ଼େଇରେ ସରପଞ୍ଚମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଗଢ଼ିବା ଲାଗି ସେମାନଙ୍କୁ କ୍ଷମତା ପ୍ରଦାନ କରିବା ସହ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ କର୍ତ୍ତବ୍ୟ ପାଳନ କରିବା ଲାଗି ସେମାନଙ୍କୁ ଶପଥପାଠ କରାଇଛନ୍ତି।

 

Leave a Reply

Your email address will not be published.