ଶ୍ରମିକଙ୍କ ପାଇଁ କୋହଳ ହେଲା #Lockdown କଟକଣା: କାମକୁ ଫେରିବାକୁ କେନ୍ଦ୍ରର ପ୍ରୋତ୍ସାହନ

ଭୁବନେଶ୍ଵର, (ଓଡ଼ିଶା ଟଇମ୍‌): ଶ୍ରମିକ ଏବେ କାମକୁ ଫେରିପାରିବେ। ଯେଉଁମାନେ କାମରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ ଚାହିଁଲେ କାମକୁ ଫେରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି। ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଛି। ପୁଣି ସେତିକି ନୁହେଁ ଏହି ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପ୍ରଶାସନ ପକ୍ଷରୁ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ବାଟରେ ସେମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ରବିବାର ଘୋଷଣା କରାଯାଇଥିବା ଏହି ଘୋଷଣାବଳୀରେ କୁହାଯାଇଛି ଯେ, କାମକୁ ଫେରିବା ପୂର୍ବରୁ ଶ୍ରମିକମାନଙ୍କୁ ଆବଶ୍ୟକ କରୋନା ସ୍କ୍ରିନିଂ କରାଇବା ଜରୁରୀ। ଏହି ସ୍କ୍ରିନିଂରେ ଯେଉଁମାନେ ସଫଳ ହେବେ ସେମାନଙ୍କୁ ଫେରିବା ବା ଯାତ୍ରା ପାଇଁ ଅନୁମତି ମିଳିବ। ଏହି ସ୍କ୍ରିନିଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜନ କରାଯିବ। ପ୍ରତି ଶିବିରରେ ଏହା ଅନୁଷ୍ଠିତ ହେବ।

ଏହି ସ୍କ୍ରିନିଂ ଟେଷ୍ଟ ପରେ ଅଟକ ଥିବା ଶ୍ରମିକ ମାନେ ସେହି ରାଜ୍ୟର ଯେକୌଣସି ଜିଲ୍ଲା ବା ଗ୍ରାମକୁ ଫେରିପାରିବେ। କିନ୍ତୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ତାଙ୍କୁ ଅନୁମତି ମିଳିବ ନାହିଁ। ପରବର୍ତ୍ତୀ ସମୟରେ ଏଥିଲାଗି ଘୋଷଣା କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

କୋଭିଡ୍‌-୧୯ ଡର ଏବଂ ଜୀବୀକା ହରାଇବା ଆଶଙ୍କାରେ ଶ୍ରମିକମାନେ କର୍ମସ୍ଥଳରୁ ଚାଲି ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଘୋଷଣା ହେତୁ ସେମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଏପ୍ରିଲ୍‌ ୨୦ ତାରିଖରୁ ସେମାନଙ୍କୁ କାମ ପାଇଁ ମୁକ୍ତ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published.