#covid-19 ନିୟନ୍ତ୍ରଣ ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ଫେରୁଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ଓ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ସହରାଞ୍ଚଳ ସରିଲା ଏବେ ଗ୍ରାମାଞ୍ଚଳ ଚିନ୍ତା। ଲକ୍‌ଡାଉନ୍‌ ଉଠିଲେ ଗ୍ରାମାଞ୍ଚଳରେ କରୋନା ରୋଗ ବା କୋଭିଡ୍‌୧୯ ବ୍ୟାପିବା ଆଶଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଅଟକିଥିବା ଶ୍ରମିକମାନେ ରାଜ୍ୟକୁ ଫେରିବା ଓ ନିଜ ନିଜ ଘରକୁ ଯିବା ପାଇଁ ଥିବାରୁ ସେମାନଙ୍କ ଦ୍ଵାରା କରୋନା ଭୁତାଣୁ ସଂକ୍ରମଣ ହୋଇପାରେ ବୋଲି ସରକାର ଆଶଙ୍କା କରିଛନ୍ତି। ଏଣୁ ଗାଁକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ୧୪ ଦିନର ଗୃହାବଦ୍ଧ ବା ଏକାନ୍ତବାସ ବାଧ୍ୟତାମୂଳକ କରାଯାଇଛି। ପୁଣି ସେମାନଙ୍କୁ ଏହି ନିୟମ ପାଳନ କରିବା ଲାଗି ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସରପଞ୍ଚଙ୍କୁ କ୍ଷମତାପନ୍ନ କରିଛନ୍ତି। ଜିଲ୍ଲାପାଳଙ୍କ ପାଖଷର ଥିବା ସମସ୍ତ ମାଜିଷ୍ଟ୍ରେଟ୍‌ କ୍ଷମତା କୋଭିଡ୍‌ ୧୯ ଆଇନ ବଳରେ ସରପଞ୍ଚ ନିଜ ଅଞ୍ଚଳ ପାଇଁ ଭୋଗ କରିବେ। ଅର୍ଥାତ୍ ଯଦି କେହି ହୋମ୍‌ କ୍ଵାରେଣ୍ଟାଇନ୍‌କୁ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସି କରିପାରିବେ।

ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହିପରି ଦୃଢ଼ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସହାୟକ ହେବା ସହ ରାଜ୍ୟକୁ ସଂକ୍ରମଣରୁ ରକ୍ଷା କରିବ ବୋଲି ଆଶା କରାଯାଉଛି।

ପୁଣି ରାଜ୍ୟରେ କ୍ଷମତା ବିକେନ୍ଦ୍ରୀକରଣକୁ ରୂପାୟନ କରିବାରେ ଏକ ଉଦାହରଣ ସାଜିବାକୁ ଯାଉଛି।

ପୂର୍ବେ ରାଜ୍ୟକୁ ଅନ୍ୟ ରାଜ୍ୟ ତଥା ଦେଶରୁ ଫେରୁଥିବା ଲୋକଙ୍କୁ ବାଧ୍ୟତାମୂଳକ ପଞ୍ଜିକରଣ ନିୟମ ଥିଲା। ଏବେ ମଧ୍ୟ ତାହା ବାଧ୍ୟତାମୂଳକ କରାଯାଇଛି। ଏହି ପଞ୍ଜିକରଣ ଦ୍ଵାରା ସରକାର ସେମାନଙ୍କ ଉପରେ ନଜର ରଖିବା ସମ୍ଭବ ହୋଇପାରୁଥିଲା। ଏବେ ଏହି ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କୁ ସରକାର ଆବଶ୍ୟକ ସ୍ଵାସ୍ଥ୍ୟଗତ ସୁବିଧା ଯୋଗାଇଦେବେ।

Leave a Reply

Your email address will not be published.