#ଲକ୍‌ଡାଉନ୍‌: କେତେକ କ୍ଷେତ୍ରରେ କୋହଳ ହେବ କଟକଣା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଦେଶରେ ଲଘୁ ବନ ଉତ୍ପାଦ ସଂଗ୍ରହ ଉପରେ କଟକଣାକୁ କୋହଳ କରାଯାଇଛି। ସେହିପରି ଫସଲ ଅମଳ ଉପରେ ମଧ୍ୟ କଟକଣା ନାହିଁ। ଲକ୍‌ଡାଉନ ସମୟରେ ଲୋକେ ହଇରାଣ ହେଉଥିବାରୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯାଇଛି। କରୋନା ସମ୍ପର୍କିତ ଅପ୍‌ଡେଟ୍‌ ଦେବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଉପରୋକ୍ତ ତଥ୍ୟ ଦେଇଛନ୍ତି। ଏଥିସହ କେତେକ କ୍ଷେତ୍ରରେ କାର୍ଯ୍ୟ ପାଇଁ କଟକଣା କୋହଳ ହେବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଦେଶରେ କରୋନାରୁ ୧୩.୬% ଲୋକ ସୁସ୍ଥ ହୋଇଛନ୍ତି ଏବଂ ବତ୍ତର୍ମାନ ସୁଦ୍ଧା ୪୩୭ ଲୋକଙ୍କ ପ୍ରାଣହାନୀ ଘଟିଛି। ୨୪ ଘଣ୍ଟାରେ କରୋନାରେ ୨୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୭ ନୂଆ କେସ୍ ସାମ୍ନାକୁ ଆସିଛି। ସେହିପରି ଏଯାଏଁ ୧୭୪୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କରୋନାରେ ୮୦% ରୋଗୀ ସୁସ୍ଥ ହେଉଛନ୍ତି। କରୋନା ସଂକ୍ରମଣର ବେଗ କମିଛି ଏବଂ କରୋନା ଗ୍ରୋଥ ଫ୍ୟାକ୍ଟର ୪୦% ହ୍ରାସ ପାଇଛି। ପ୍ଲାଜମା ଟେକନିକରେ ଚିକିତ୍ସା ଉପରେ କାମ ଜାରି ରହିଛି। ଅନ୍ୟପକ୍ଷରେ ମେ ସୁଦ୍ଧା ୧୦ଲକ୍ଷ ରାପିଡ୍‌ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇପାରିବ ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ଜାଣିବା ଜରୁରୀ:

ପୂର୍ବରୁ ଚାଷଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଶିଳ୍ପ ଓ ଇ-କର୍ମସ ଭଳି କ୍ଷେତ୍ରକୁ ଲକ୍‌ଡାଉନ୍‌ ସମୟରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ସମ୍ପ୍ରତି ନୂଆ ତାଲିକା ଅନୁଯାୟୀ, ୨୦ ତାରିଖ ପରେ ନନ୍‌ ବ୍ୟାଙ୍କିଂ ଫାଇନାନ୍ସ କର୍ପୋରେସନ ଓ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁସନକୁ ମଧ୍ୟ ଜରୁରୀ ସେବାରେ ସାମିଲ କରାଯାଇଛି। ଏହି କ୍ଷେତ୍ରଗୁଡ଼ିକ ୨୦ ତାରିଖଠାରୁ କାର୍ଯ୍ୟକ୍ଷମ ହେବ। ନଡ଼ିଆ, ବାଉଁଶ, ଗୁଆ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକୁ ଅନୁମତି ମିଳିବ। ସେହିପରି ଅନୁସୂଚିତ ଜନଜାତି  କରୁଥିବା ଜଙ୍ଗଲ କାମକୁ କଟକଣାରୁ ବାଦ ଦିଆଯିବ। କିନ୍ତୁ କରୋନା ହଟସ୍ପଟ ଅଞ୍ଚଳରେ ଏହିସବୁ କାମକୁ ଅନୁମତି ମିଳିବ ନାହିଁ।

Leave a Reply

Your email address will not be published. Required fields are marked *