#କୋଭିଡ୍-୧୯: ଗୁଜବ ପ୍ରଚାର କରନାହିଁ

ନୂଆଦିଲ୍ଲୀ(ଓଟି): ମହାମାରୀ କୋଭିଡ୍-୧୯ ତଥା କରୋନ ପାଇଁ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ  ଗଟର୍ସ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ସେ ବିଭିନ୍ନ ପ୍ଲାଟ୍‌ଫର୍ମରେ ମହାମାରୀକୁ ନେଇ ଗୁଜବ ପ୍ରଚାର ହେଉଥିବାରୁ ମଧ୍ୟ ଗଟର୍ସ ଚିନ୍ତା ପ୍ରକଟ କରିଛନ୍ତି। ସମ୍ପ୍ରତି ବିଶ୍ଵ ବଡ଼ ବିପର୍ଯ୍ୟୟ ସହ ସଂଘର୍ଷ କରୁଥିବାବେଳେ ଗୁଜବ ତଥା ଭୁଲ ସୂଚନାର ପ୍ରଚାର ପ୍ରସାର କରି ଲୋକଙ୍କ ଜୀବନ ନଷ୍ଟ ନକରିବାକୁ ସେ ଅପିଲ୍‌ କରିଛନ୍ତି। ସେହିପରି ପ୍ରମାଣ ଭିତ୍ତିକ ଏବଂ ବିଜ୍ଞାନ ଆଧାରିତ ସୂଚନା ଉପରେ ହିଁ ସେ ଗୁରୁତ୍ଵାରୋପ କରିଛନ୍ତି।

ଗଟର୍ସ କହିଛନ୍ତି ଯେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ସମ୍ପ୍ରତି କରୋନାକୁ ନେଇ ବିଶ୍ଵ ଅଧିକ ସଂଘର୍ଷ କରୁଛି। ଏଭଳି ସ୍ଥିତିରେ ଭୁଲ୍ ସୂଚନା ପ୍ରଚାର କରାଯିବା ପୁଣି ଏକ ବିପଦଜ୍ଜନକ ମହାମାରୀ ସଦୃଶ ହୋଇଛି। କରୋନା ଭାଇରସ୍‌କୁ ନେଇ ଷଡ଼ଯନ୍ତ୍ର କରାଯାଇଥିବା ଭଳି ତଥ୍ୟ ଇଣ୍ଟରନେଟ୍‌ ଜରିଆରେ ବିଭିନ୍ନ ପ୍ଲାଟ୍‌ଫର୍ମକୁ ସଂକ୍ରମିତ କରୁଛି। ସେହିପରି ଘୃଣା ସୃଷ୍ଟିକଲା ଭଳି ପ୍ରସଙ୍ଗ ଭାଇରାଲ୍ ହେଉଛି। ତେଣୁ ମିଥ୍ୟା ଓ ତଥ୍ୟହୀନ କଥାକୁ ଅସ୍ଵୀକାର କରିବାକୁ ସମସ୍ତ ରାଷ୍ଟ୍ରଙ୍କୁ ଗଟର୍ସ ଅପିଲ୍ କରିଛନ୍ତି।

Leave a Reply

Your email address will not be published. Required fields are marked *