#Lockdown: କୋଭିଡ୍ ସହ ଲଢ଼ିବାକୁ ମୋଦିଙ୍କ ସପ୍ତପଦୀ ମନ୍ତ୍ର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଯଦିଓ ଭାରତ କରୋନା ମୁକାବିଲାରେ ଯଥେଷ୍ଟ ଆଗୁଆ ରହିଛି ତଥାପି ସଂକ୍ରମଣର ଭୟ ଛାଡ଼ିନି। ଯଦି ସମାନ ସଂଯମ ଆଚରଣ ନାଗରିକ ପ୍ରଦର୍ଶନ କରନ୍ତି ତେବେ ଆମେ ଜିତିବା ଓ କରୋନା ହାରିବ। ଏହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟକୁ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ୍ ସମୟସୀମାକୁ ମେ’୩ ତାରିଖ ଯାଏ ବଢ଼ାଇଛନ୍ତି। କିନ୍ତୁ ଯଦି ପରିସ୍ଥିତି ଭଲ ହୁଏ ତେବେ ଏପ୍ରିଲ୍ ୨୦ ତାରିଖରୁ ସ୍ଥଳ ବିଶେଷରେ ଲକ୍ଡାଉନ୍ କୋହଳ କରିବା ଲାଗି ମଧ୍ୟ ନିୟମାବଳୀ କେନ୍ଦ୍ର ପ୍ରସ୍ତୁତ କରୁଛି ବୋଲି ମୋଦି ସୂଚନା ଦେଇଛନ୍ତି।
ତେବେ କେମତି ଏହାକୁ ସଫଳ କରିବା ସେ ସମ୍ପର୍କରେ ମୋଦି ଏକ ସପ୍ତପଦୀ ମନ୍ତ୍ରୀ ଜନସାଧାରଣଙ୍କୁ ଦେଇଛନ୍ତି ତାହା ହେଲା:
୧) ଘରେ ଗୁରୁଜନଙ୍କ ଯତ୍ନ ନେବା। ବିଶେଷକରି ଯେଉଁମାନେ କ୍ରନିକ୍ ରୋଗରେ ପୀଡ଼ିତ ସେମାନେ ଯେପରି କୌଣସି ପ୍ରକାରେ ଘରୁ ନବାହାରିବେ ସେଥିପ୍ରତି ସଚେତନ ରହିବାକୁ ମୋଦି ନିବେଦନ କରିଛନ୍ତି। ବରିଷ୍ଠ ନାଗରିକ ଓ ରୋଗ ଭୋଗୁଥିବା ଗୁରୁଜନମାନେ କରୋନାର ଭୟାବହତା ଆଗରେ ହାର୍ ମାନିବା ଆଶଙ୍କା ରହିଛି। ଏଣୁ ଏମାନଙ୍କ ଯତ୍ନ ନେବାକୁ ମୋଦି ଅନୁରୋଧ କରିଛନ୍ତି।
୨) ଘରେ ମାସ୍କ ତିଆରି କରିବା ଓ ପିନ୍ଧିବା। ମେଡିକାଲ୍ ଷ୍ଟୋର ବା ବଜାରରୁ ମାସ୍କ କିଣି ପିନ୍ଧିବା କିଛି ଆବଶ୍ୟକ ନୁହେଁ। ସବୁ ବେଳେ ମୁହଁ ଓ ନାକକୁ ଢାଙ୍କିବା ଲଗି ଘରେ ମାସ୍କ ତିଆରିକୁ ପ୍ରୋତ୍ସାହନ ଦେଇଛନ୍ତି ମୋଦି।
୩) ଆୟୁଷ ମନ୍ତ୍ରଣାଳୟର ପରାମର୍ଶ ମାନିବା। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ କିଛି ସାଧାରଣ ପରାମର୍ଶ ଜାରି କରିଛନ୍ତି। ବିଶେଷକରି ଗରମ ପାଣି କୁଳିକରିବା ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ। ଏସବୁକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।
୪) ଆରୋଗ୍ୟ ସେତୁ ଡାଉନ୍ଲୋଡ୍ କରିବା। ସରକାରଙ୍କ ଦ୍ଵାରା ବିକଶିତ ସ୍ଵତନ୍ତ୍ର କୋଭିଡ୍-୧୯ ମୋବାଇଲ୍ ଆପ୍ ଆରୋଗ୍ୟ ସେତୁକୁ ଡାଉନ୍ଲୋଡ୍ କରିବା ଲାଗି ମୋଦି ଅନୁରୋଧ କରିଛନ୍ତି ।ଯେଉଁମାନେ ଡାୁନ୍ଲୋଡ଼୍ କରି ନାହାନ୍ତି ତାହାକୁ ତୁରନ୍ତ ଡାଉନ୍ଲୋଡ୍ କରିବା ସହ ଆବଶ୍ୟକ ସୂଚନା ପୂରଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହାଦ୍ଵାରା କୋଭିଡ୍ ସମ୍ପର୍କିତ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବା ସହ ସମ୍ପୃକ୍ତ ବ୍ୟକ୍ତି କରୋନା ପ୍ରଭାବିତ କି ନୁହେଁ ତାହା ଜଣାପଡ଼ିବ।
୫) ଗରିବ ଲେକାଙ୍କୁ ସହା୍ରତା। ଏ ମୁହୂର୍ତ୍ତରେ ଦେଶର ଗରିବ ଲୋକ ଅଧିକ ପୀଡ଼ିତ ହୋଇଥିବା ଅନୁମାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଣୁ ଅସହାୟ ଓ ଗରିବ ଲୋକଙ୍କୁ ଯାଥା ସାଧ୍ୟ ସହାୟତା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୋଦି।
୬) ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ସମ୍ମାନ। ନିଜ ସ୍ଵାସ୍ଥ୍ୟ ଓ ପରିବାରର ସଂକ୍ରମଣ କଥା ଚିନ୍ତା ନକରି ସଫେଇ କର୍ମଚାରୀଙ୍କଠୁ ଆରମ୍ଭ କରି ପୁଲିସ, ଡାକ୍ତର, ନର୍ସ ଯେଉଁମାନେ ଅବିରତ ସେବା ପ୍ରଦାନ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।
୭) ଚାକିରରୁ କାହାକୁ ଛଟେଇ କରା ନଯାଉ। ମୋଦି ଦେଶର ସମସ୍ତ ଛୋଟ ବଡ଼ କମ୍ପାନୀ ଓ ନିଯୁକ୍ତି ଦାତାଙ୍କୁ ସେମାନଙ୍କ କର୍ମଚାରୀଙ୍କ ଦରମା ନିଶ୍ଚିତ କରିବା ତଥା କାହାକୁ ଚାକିରିରୁ ବାହାର ନକରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଏ ସମୟ ବିପର୍ଯ୍ୟୟର। ଯେଉଁମାନେ ଏତେଦିନ ହେଲା ସଂସ୍ଥା ପାଇଁ ସେବା ପ୍ରଦାନ କରିଛନ୍ତି ସେମାନଙ୍କ ଦରମା ଓ ଚାକିରି ନିଶ୍ଚିତ କରିବାକୁ ସେ କହିଛନ୍ତି।
ଏହି ସପ୍ତପଦୀ ମନ୍ତ୍ର ଦେଶର କରୋନା ଯୋଦ୍ଧା ଓ ଦେଶବାସୀଙ୍କୁ ଉତ୍ସାହିତ କରିବ ଓ ଦେଶ ଏକାଠି ରହିଛି ବୋଲି ଏକ ବାତାବରଣ ସୃଷ୍ଟି ହେବ। ଏହାଦ୍ଵାରା ଆମେ କରୋନା ବିରୋଧୀ ଲଢ଼େଇକୁ ଅଧିକ ମଜଭୁତ କରିବା ସହ ସେଥିରେ ବିଜୟୀ ହେବୁ ବୋଲି ଆଶା ପ୍ରକଟ କରାଯାଇଛି।