୪୦ ଡିଗ୍ରୀ+ରେ ସିଝିଲା ୧୨ ସହର

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟକୁ ଦାଉ ସାଧିଲାଣି ଅସହ୍ୟ ତାତି। ଏପ୍ରିଲ୍‌ ମାସରୁ ତତଲା ତାୱାରେ ସିଝିଲାଣି ରାଜ୍ୟର ଅନେକ ସହର। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଛୁଇଁଥିବା ଜଣାପଡ଼ିଛି। ଫଳରେ ଆଗକୁ ସ୍ଥିତି କଣ ହେବ ସେନେଇ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ସମ୍ପ୍ରତି ଲକ୍‌ଡାଉନ୍‌ କାରଣରୁ ଅଧିକରୁ ଅଧିକ ଲୋକେ ଘରୁ ବାହାରୁନଥିବାବେଳେ ଏଭଳି ତାତି ଅସହ୍ୟ ହେଲେ ମଧ୍ୟ ଏକପ୍ରକାର ଚଳିଯାଇଛି। ତେବେ ଭବିଷ୍ୟତର ସ୍ଥିତିକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସୂଚନା ଅନୁସାରେ ଭୁବନେଶ୍ୱର ଓ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ହୋଇଥିବା ରେକର୍ଡ କରାଯାଇଛି। ବଲାଙ୍ଗିରରେ ୪୧.୨ ଓ ବାରିପଦାରେ ୪୧ ଡିଗ୍ରୀ ରହିଥିବା ଜଣାଯାଇଛି। ଏଭଳି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଏଭଳି ସ୍ଥିତିରେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ମଙ୍ଗଳବାର ଭୁବ‌ନେଶ୍ଵରସମେତ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା  ୨ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ୧୯ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ୧୫ ତାରିଖରେ ତାପମାତ୍ରା ୪୦ରୁ ଅଧିକ ରହିବ ଏବଂ ଧୀରେଧୀରେ ୧୯ ତାରିଖ ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି କୁହାଯାଇଛି।

ତେବେ ଆସନ୍ତା ୨୦ ତାରିଖରୁ ରାଜ୍ୟରେ ପାଣିପାଗ ପରିବର୍ତ୍ତନ ହେବା ସହ ଉପକୂଳ ଅଞ୍ଚଳରେ ମେଘୁଆ ପାଗ ଲାଗି ରହିବ। ସେହିପରି କାଳବୈଶାଖୀ କାରଣରୁ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି।  

Leave a Reply

Your email address will not be published.