#ଲକ୍ଡାଉନ୍ରେ ଆକ୍ରମଣ: ଯୋଡ଼ାହେଲା ଏଏସ୍ଆଇଙ୍କ କଟା ହାତ
ନୂଆଦିଲ୍ଲୀ (ଓଡିଶା ଟାଇମ୍ସ): ଏକ ଦୁଃଖଦ ଆଉ ଅଭାବନୀୟ ଘଟଣାକ୍ରମେ ପଞ୍ଜାବର ପଟିୟାଲାରେ #ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରି ନିହାଙ୍ଗ ଗୋଷ୍ଠୀର କେତେକ ବ୍ୟକ୍ତି ଜଣେ ପୁଲିସ୍ ଅଫିସର୍ଙ୍କ ହାତ ହାଣି ଦେଇଥିଲେ। ରବିବାର ସକାଳେ ଏଭଳି ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା ଘଟଣାରେ ସମ୍ପୃକ୍ତ ପୁଲିସ୍ ଅଫିସରଙ୍କ କଟାହାତକୁ ପ୍ଲାଷ୍ଟିକ୍ ସର୍ଜରୀ କରି ଡାକ୍ତରମାନେ ଯୋଡ଼ିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୬ଟା ୧୫ ବେଳେ କେତେକ ନିହାଙ୍ଗ ପାରମ୍ପାରିକ ବେଶରେ ଖଣ୍ଡା ଓ ଲୁହାରଡ୍ ଆଦି ମାରଣାସ୍ତ୍ର ଧରି ଏକ ଗାଡ଼ିରେ ଯାଉଥିଲେ। ସେମାନଙ୍କୁ ପଟିଆଲାର ପରିବାର ବଜାର ( ସବ୍ଜି ମଣ୍ଡି) ପୁଲିସ୍ ଟିମ୍ ଅଟକାଇ ଥିଲେ ଏବଂ କର୍ଫ୍ୟୁ ପାସ୍ ଦେଖାଇବାକୁ କହିଥିଲେ। କିନ୍ତୁ ସମ୍ପୃକ୍ତ ନିହାଙ୍ଗମାନେ ଗାଡ଼ି ଚଢ଼ାଇ ବ୍ୟାରିକେଡ୍ ଭାଙ୍ଗିଦେବା ସହ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଦୁଇ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଥିବାବଳେ କର୍ତ୍ତବ୍ୟରତ ଜଣେ ଏଏସ୍ଆଇ (#ASI)ଙ୍କ ହାତକୁ ହାଣି ଦେଇଥିଲେ। ଫଳରେ ଏଏସ୍ଆଇ ହରଜିତ୍ ସିଂହଙ୍କ ବାମହାତର କଚି (Wrist)ଠାରୁ ପାପୁଲି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଏଥିରେ ସେ ରକ୍ତ ଜର୍ଜରିତ ହୋଇ ମଧ୍ୟ କଟା ପାପୁଲି ନେଇ ସ୍କୁଟିରେ ଡାକ୍ତରଖାନା ପହଞ୍ଚିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ପରେ ତାଙ୍କୁ ପଟିୟାଲାର ଏକ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଶେଷତମ ଖବର ଅନୁସାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ପାଖାପାଖି ୭ ଘଣ୍ଟାର ମାରାଥନ୍ ଅପରେସନ କରିବା ପରେ ଏଏସ୍ଆଇ ଶ୍ରୀ ସିଂହଙ୍କ କଟାହାତକୁ ପ୍ଲାଷ୍ଟିକ୍ ସର୍ଜରୀ ଦ୍ଵାରା ଯୋଡ଼ିବାରେ ସଫଳ ହୋଇଛନ୍ତି। ଡାକ୍ତରମାନଙ୍କ ସେବା ଓ ପ୍ରଚେଷ୍ଟା ପାଇଁ ବିଭିନ୍ନ ମହଲରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ରବିବାର ସୁଦ୍ଧା ୧୧ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିସାରିଥିଲା। ସେ ମଧ୍ୟରେ ମହିଳା ମଧ୍ୟ ସାମିଲ୍ ରହିଥିବା ସୂଚନା ମିଳିଛି। ପଟିଆଲାର ଆଇଜି ଯତୀନ୍ଦର ଔଲଖ ଓ ସିନିଅର୍ ଏସ୍ପି ମନନ୍ଦୀପ ସିଦ୍ଧୁଙ୍କ ନେତୃତ୍ଵରେ ଏନେଇ ଅଧିକ ତଦନ୍ତ କାର୍ଯ୍ୟ ଚାଲୁ ରହିଥିବା ଜଣାପଡ଼ିଛି।