#କୋଭିଡ୍-୧୯: ୧୫ ରାଜ୍ୟର ୨୫ ଜିଲ୍ଲାରୁ ନାହିଁ କରୋନା ପଜିଟିଭ
ନୂଆଦିଲ୍ଲୀ (ଓଟି): ଲକ୍ଡାଉନ୍ ଓ ତାସହ କଣ୍ଟେନ୍ମେଣ୍ଟ୍ ଜୋନ୍ କରାଯିବା ଫଳରେ ଦେଶ ପାଇଁ ସକାରାତ୍ମକ ଫଳ ସାବ୍ୟସ୍ତ ହୋଇଛି। ଏଥିପାଇଁ ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଦିନ ଭଳି ଆଜି ପ୍ରେସ୍ ମିଟ୍ରେ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରାଯିବାବେଳେ ସଚିବ ଶ୍ରୀ ଅଗ୍ରୱାଲ୍ଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ଗୁରୁତ୍ଵପୂର୍ଣ୍ଣ ବିଷୟରେ କହିଥିଲେ। ସେ କହିଥିଲେ ଯେ ଅନ୍ତଃରାଜ୍ୟସ୍ତରୀୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ କୌଣସି କଟକଣା କରାଯାଇନି। ଟ୍ରକ ପରିବହନ ଜାରି ରହିଛି। ସେହିପରି ଭାରତୀୟ ଭେଷଜ ଗବେଷଣା ପରିଷଦର ମୁଖ୍ୟ ରମଣ ଆର୍ ଗଙ୍ଗାଖେଡକର ଦେଶରେ ମୋଟ ୨,୦୬,୨୧୨ଟି ନମୁନା ପରୀକ୍ଷଣ କରାଯାଇଥିବା କହିଥିଲେ। ଆଗାମୀ ୬ ସପ୍ତାହରେ ପରୀକ୍ଷା କରିବା ପାଇଁ ଦେଶରେ ଯଥେଷ୍ଟ ଟେଷ୍ଟିଂ କିଟ୍ ଗଚ୍ଛିତ ରହିଛି ବୋଲି ମଧ୍ୟ ସୂଚନା ଦିଆଯାଇଥିଲା। ଆସନ୍ତା ୧୫ ତାରିଖରେ ଚୀନରୁ ପ୍ରଥମ ଦଫା ଟେଷ୍ଟିଂ କିଟ୍ ଭାରତରେ ପହଞ୍ଚିବ ବୋଲି ସେ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୬ଟି ନୂଆ ସଂକ୍ରମିତ ଘଟଣା ସାମ୍ମାନକୁ ଆସିଛି। ସେହିପରି ୩୫ ଜଣଙ୍କ ପ୍ରାଣହାନୀ ଘଟିଛି। ଫଳରେ ମୋଟ ସଂକ୍ରମଣ ସଂଖ୍ୟା ୯୧୫୨ ଓ ମୃତ୍ୟୁସଂଖ୍ୟା ୩୦୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୮୫୪ ଜଣ ମାରାତ୍ମକ କରୋନା କବଳରୁ ମୁକ୍ତି ପାଇଛନ୍ତି।