ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଲକ୍ଡାଉନ୍ ସମ୍ପ୍ରସାରଣ ଘୋଷଣା ହୋଇପାରେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟା ବେଳେ ଦେଶବାସୀଙ୍କୁ ଆହ୍ବାନ ଦେବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟ୍ବିଟ୍ କରି ଜଣାଇଛନ୍ତି। ଏହି ଆହ୍ବାନ ଲକ୍ଡାଉନ୍ ସମ୍ପ୍ରସାରଣ ଘୋଷଣା ପାଇଁ ଉଦ୍ଦିଷ୍ଟ ହେବ ବୋଲି ସମ୍ଭାବନା ବ୍ୟକ୍ତ ହୋଇଛି।
କରୋନା ଭୁତାଣୁକୁ ପ୍ରତିରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୧ ଦିନର ଲକ୍ଡାଉନ୍ ମଙ୍ଗଳବାର ଶେଷ ହେଉଛି। ଏହାର ମଝିରେ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସନ୍ଧ୍ୟାରେ ଆଲୋକମାଳା ଜାଳି ଦେଶର ଏକତା ପ୍ରଦାର୍ଶନ କରିବାକୁ ଆହ୍ବାନ ଦେଇଥିଲେ।
ଲକ୍ଡାଉନ୍ ଭାରତରେ କରୋନା ଭୁତାଣୁର ପ୍ରକୋପକୁ କମ୍ କରିଥିବା ନେଇ ଅନେକ ଅନୁଶୀଳନ ହୋଇଛି। ପ୍ରାୟ ସମସ୍ତ ରାଜ୍ୟ ସରକାର ଏଥିନେଇ ସମ୍ପ୍ରସାରଣ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସହ ଆଲୋଚନା କରିଛନ୍ତି। ଏହା ବାଦ୍ ସମ୍ପ୍ରତି ୬ ରାଜ୍ୟ ସରକାର ଏଥିନେଇ ଘୋଷଣା କରି ସାରି ଥିବା ଜଣାପଡ଼ିଛି। ଏହି ରାଜ୍ୟସବୁ ହେଉଛନ୍ତି ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, କଣ୍ଣାଟକା ଏବଂ ପଶ୍ଚିମବଙ୍ଗ।
ଏବେ ଦେଶରେ କରୋନା ଭୁତାଣୁ ୯୦୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ସେଥିରୁ ୩୦୦ରୁ ଅଧିକ ଲେକାଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଦିଲ୍ଲୀ, ତାମିଲ୍ନାଡ଼ୁ ପ୍ରଭୃତି ରାଜ୍ୟରେ ସଂକ୍ରମଣ ଯଥେଷ୍ଟ ରହିଛି।