୧୮ ଜିଲ୍ଲାରେ ରବି ଫସଲ ମଣ୍ଡି ଖୋଲା

ଭୁବନେଶ୍ୱର(ଓଟି): କରୋନା ଆତଙ୍କ ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ୧୪ ତାରିଖରେ ଅବଧି ସରିବ। କିନ୍ତୁ ସଂକ୍ରମଣର ଭୟ ଓ ପରିସ୍ଥିତିକୁ ବିଚାର କରି ରାଜ୍ୟ ସରକାର ଆସନ୍ତା ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି। ଏଭଳି ସ୍ଥିତିରେ କୃଷିକାର୍ଯ୍ୟ ପାଇଁ କିନ୍ତୁ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଛି। ବିଶେଷକରି କୃଷିକାର୍ଯ୍ୟ ହେଉଥିବା ଗ୍ରାମାଞ୍ଚଳ ପାଇଁ ନିୟମ କୋହଳ ଉଦ୍ଦିଷ୍ଟ ଥିବାବେଳେ ସହରାଞ୍ଚଳରେ ଲକଡାଉନ୍ ନିୟମ ପୂର୍ବଭଳି ବଳବତ୍ତର ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ରିଲିଫ କମିସନର୍ ପ୍ରଦୀପ ଜେନା ଏନେଇ ସବିଶେଷ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଅଣାଯିବା ସହ ରବି ଫସଲ ପାଇଁ ୧୮ ଜିଲ୍ଲାରେ ମଣ୍ଡି ଖୋଲା ରହିବ ବୋଲି ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ ଚାଷୀମାନେ ଫସଲ ଅମଳ ପରବର୍ତ୍ତୀ କାର୍ଯ୍ୟ କରିପାରିବେ। ଏହି ସମୟ ମଧ୍ୟରେ  ଧାନ ଅମଳ, ପରିବହନ, ଷ୍ଟୋରେଜ୍, ବିହନ ଟେଷ୍ଟିଂ କରିବା ସହ ଚାଷ ପାଇଁ ବ୍ୟବହୃତ ଟ୍ରାକ୍ଟର, କୃଷି ଯନ୍ତ୍ରପାତି ପାଇଁ ଅନୁମତି ଦିଆଯାଇଛି। ରାସାୟନିକ ସାର ଓ  ଶୀତଳ ଭଣ୍ଡାର କେନ୍ଦ୍ର ମଧ୍ୟ ଖୋଲା ରହିବ। ଖରିଫ୍ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ବୋଲି କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି। ଆଗାମୀ ଫସଲ ପାଇଁ ବିହନ ବୁଣା, ପରିବହନ, କେନ୍ଦୁପତ୍ର ତୋଳା ଚାଲୁରହିବ, ମାଛ ଓ ପଶୁ ଖାଦ୍ୟ ପରିବହନ ମଧ୍ୟ ହୋଇପାରିବ। ସରକାରଙ୍କ  ମନରେଗା କାର୍ଯ୍ୟକ୍ରମ ଚାଲୁରହିବ ତେବେ ଭୁବନେଶ୍ବର ଭଳି ସହରାଞ୍ଚଳରେ  କୃଷି କାର୍ଯ୍ୟ ଚାଲୁନଥିବାରୁ ଏହି ନିମୟ ଲାଗୁ ହେବନି ବୋଲି ସ୍ପଷ୍ଟ କରାଯାଇଛି। ଅନୁରୂପ ଭାବେ ପୂର୍ବ ଭଳି ଅଣ୍ଡା, ମାଛ, ମାଂସ  ଓ  ଦୁଗ୍ଧ ପରିବହନ ଜାରି  ରହିବ। ପରିବହନ କାର୍ଯ୍ୟ ଦୃଷ୍ଟିରୁ ରାଜପଥ କଡ଼ରେ ଢାବା ଖୋଲିବ କିନ୍ତୁ ସେଠାରେ ଖାଇବା ଉପରେ କଟକଣା ରହିଛି ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *