#coronaworldupdates: ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର, ଆକ୍ରାନ୍ତଙ୍କ ସଂଖ୍ୟାରେ ୧ଲକ୍ଷ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ କରୋନା ତାଣ୍ଡବ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି। ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ୮୭୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୧୬ ଲକ୍ଷ ୧୦ ହଜାର ୬୨ ଥିଲା। ସେହିପରି ଗତକାଲି ମୃତ୍ୟୁ ସଂଖ୍ୟା ୯୬୩୬୫ ଥିବା ବେଳେ ଆଜି ସେ ସଂଖ୍ୟା ୧ଲକ୍ଷ ୨ହଜାର ୭୮୯ରେ ପହଞ୍ଚିଥିବା ରାଜ୍ୟ କୋଭିଡ୍‌୧୯ ସେଲ୍‌ ପକ୍ଷରୁ କୁହାଯାଇଛି।

ଭାରତ ବିଶ୍ଵରେ ୨୧ତମ ସଂକ୍ରମିତ ରାଷ୍ଟ୍ର ରହିଛି। ଏଠାରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୪୪୭ ରହିଛି। ଏହି ୨୪ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୫୦ ବଢ଼ି ୨୩୯ ହୋଇଛି। ଗତକାଲି ୬୪୨୧ଜଣ ସଂକ୍ରମିତ ଥିଲେ। ୧୮୯ଜଣଙ୍କ ମୃତ୍ୟୁ ହୋଇଥିଲା।

ଓଡ଼ିଶା ଭାରତ ବର୍ଷରେ ୧୭ତମ ସଂକ୍ରମିତ ରାଜ୍ୟ। ଏଠାରେ ୫୦ଟି ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରାଯାଇଛି। ଏବେ ୩୭ଜଣଙ୍କ ଦେହରେ ଭୁତାଣୁ ଆକ୍ଟିଭ୍‌ ରହିଛି। ଏଥିରୁ ୨ ଜଣ ଡାକ୍ତରଖାନା ଚିକିତ୍ସା ଆବଶ୍ୟକ କରୁଥିବାବେଳେ ଅନ୍ୟ ୩୫ଜଣ ସୁସ୍ଥ ଅଛନ୍ତି। ଗତକାଲି ୧୦ ଜଣ ସୁସ୍ଥ ହୋଇଥିଲେ। ଆଉ କିଛିଦିନ ଭିତରେ ଏହି ସଂଖ୍ୟା ବଢ଼ିବ ବୋଲି ସ୍ଵାସ୍ଥ୍ୟ ନିର୍ଦେଶକ ଶାଳିନୀ ପଣ୍ଡିତ କହିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାର ଚିହ୍ନିତ ରୋଗୀଙ୍କ ଭିତରୁ ୮୦ ପ୍ରତିଶତଙ୍କ ଦେହରେ ଲକ୍ଷ୍ୟଣ ନାହିଁ। ଏଣୁ ଆଗକୁ ଓଡ଼ିଶାରେ କିଏ କରୋନା ସଂକ୍ରମିତ ତାହା ଜାଣିବା ଲାଗି ଚିହ୍ନଟ ପ୍ରକ୍ରିୟାକୁ ବ୍ୟାପକ କରାଯିବା ଯୋଜନା ରହିଛି। ଫେବୃୟାରୀ ୧ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କରୋନା ରୋଗୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଦିନଗୁ ୩୦୦ରୁ ୪୦୦ ଟେଷ୍ଟ କରାଯାଉଛି। ଏହା ୧୦ ଦିନ ଭିତରେ ୩ ଗୁଣା ବଢ଼ିବ। ଅଧିକ ପରୀକ୍ଷଣ ହେଲେ ଅଧିକ ରୋଗୀଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ଏଣୁ ଏଥିରେ କିଛି ଭୟଭୀତ ହେବା ଉଚିତ ନୁହେଁ। ଏହି ଅଧିକ ସଂଖ୍ୟକ ଟେଷ୍ଟ ଆମକୁ ସଂକ୍ରମଣ ସ୍ତରକୁ ଚିହ୍ନିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

କରୋନା ୬୦ ବର୍ଷରୁ ଅଧିକ ବୟସର ରୋଗୀଙ୍କ ଲାଗି ଘାତକ ହୋଇଥାଏ। ହେଲେ ଓଡ଼ିଶାରେ ଏହି ବର୍ଗୀୟ ସଂକ୍ରମଣ ସ୍ତର ଅଥେଷ୍ଟ କମ୍‌ ରହିଛି।  ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ମାତ୍ର ୮ ପ୍ରତିଶତ ସଂକ୍ରମିତ ହୋଇଥିବା ସେ ଦର୍ଶାଇଛନ୍ତି। ସମୁଦାୟ କରୋନା ପଜିଟିଭ୍‌ ରୋଗୀଙ୍କ ବୟସକୁ ଅନୁଶୀଳନ କରି ସେ ଏହା କହିଛନ୍ତି। ଏହି ଅନୁଶୀଳନରେ ଦର୍ଶାଯାଇଛି ଯେ, ରାଜ୍ୟରେ ସମୁଦାୟ ସଂକ୍ରମଣର ୧୬ ପ୍ରତିଶତ ହେଉଛନ୍ତି ୦-୧୪ ବର୍ଷ ବୟସ୍କ। ସେହିପରି  ୫୨ ପ୍ରତିଶତ ହେଉଛନ୍ତି୧୫-୪୦ ବର୍ଷୀୟ ଏବଂ  ୨୪ ପ୍ରତିଶତ କରୋନା ପଜିଟିଭ୍‌ ୪୧ରୁ ୬୦ ବର୍ଷ ବୟସର ବ୍ୟକ୍ତି ବୋଲି  ସେ କହିଛନ୍ତି।

ଯଦି କରୋନା ରାଜ୍ୟରେ ରହିଛି ତେେ ବତାହାକୁ ଶୀଘ୍ର ଚିହ୍ନଟ କରିବାକୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଚାହିଁଛି। ଏଣୁ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତର ଓ କର୍ମଚାରୀ, ଏନଏନ୍‌ଏମ୍‌, ଅଙ୍ଗନବାଡ଼ି ଓ ଆଶା କର୍ମୀ ଯାଏ ସମସ୍ତେ କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published.